ମେଡିକାଲ କଲେଜ ନେଇ ବେଦାନ୍ତ ସହ ହୋଇଥିବା ଏମ୍ଓୟୁକୁ ରାଜ୍ୟ ସରକାର ବାତିଲ କରିଦେଲେ
ଭୁବନେଶ୍ୱର: ୫୦୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ ନେଇ ବେଦାନ୍ତ ସହ ହୋଇଥିବା ଏମ୍ଓୟୁକୁ ରାଜ୍ୟ ସରକାର ବାତିଲ କରି ଦେଇଥିବା ଜଣାଯାଇଛି । ମେଡିକାଲ କଲେଜ ନିର୍ମାଣ କାର୍ଯ୍ୟ ଆରମ୍ଭରେ ମାତ୍ରାଧିକ ବିଳମ୍ବ ହୋଇଥିବାରୁ ଏମ୍ଓୟୁକୁ ବାତିଲ କରି ଦିଆଯାଇଛି । ସୂଚନାଯୋଗ୍ୟ, କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାଠାରେ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ବେଦାନ୍ତ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ୨୦୧୮ ମାର୍ଚ୍ଚ ୨୭ରେ ଏମ୍ଓୟୁକୁ (ବୁଝାମଣାପତ୍ର ସ୍ୱାକ୍ଷରିତ) ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଡିଏମ୍ଇଟିର ନିର୍ଦେଶକ ପ୍ରଫେସର ସୋନାମାଲି ବାଗ୍ ଓ ବେଦାନ୍ତ ପକ୍ଷରୁ କର୍ପୋରେଟ୍ ଷ୍ଟ୍ରାଟେଜି ନିର୍ଦେଶକ ରାହୁଲ ଶର୍ମା ଏହାକୁ ସ୍ୱାକ୍ଷର କରିଥିଲେ । ୫ଶହ ଶଯ୍ୟା ବିଶିଷ୍ଟ ଏହି ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚର୍ କରାଯିବାର ଯୋଜନା ଥିଲା । କଳାହାଣ୍ଡି ଓ ଆଖାପାଖ ଅଞ୍ଚଳରେ ହଜାର ହଜାର ଆଶାୟୀ ଶିକ୍ଷାର୍ଥୀଙ୍କ ସ୍ୱପ୍ନ ସାକାର ହେବା ସହିତ ପଶ୍ଚିମ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ତ୍ୱରାନ୍ୱିତ ହୋଇପାରିବ ବୋଲି କୁହାଯାଉଥିଲା । ଏବେ ରାଜ୍ୟ ସରକାର ଏମ୍ଓୟୁକୁ ବାତିଲ କରି ଦେଇଥିବାରୁ ଜିଲ୍ଲାବାସୀ ଦୁଃଖ ପ୍ରକାଶ କରିଛନ୍ତି ।
