ଏଣିକି ବିନା ଡ୍ରାଇଭିଂ ଟେଷ୍ଟରେ ହେବ ଲାଇସେନ୍ସ, ଜୁଲାଇ ସୁଦ୍ଧା ନୂଆ ନିୟମ
ନୂଆଦିଲ୍ଲୀ: ଡ୍ରାଇଭିଙ୍ଗ ଲାଇସେନ୍ସକୁ ନେଇ ଆସିଲା ବଡ ଖବର । ଏଣିକି ବିନା ଡ୍ରାଇଭିଂ ଟେଷ୍ଟରେ ବି ହେବ ଆପଣଙ୍କ ଲାଇସେନ୍ସ । ଆଜ୍ଞା ହଁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଏବେ ଆପଣଙ୍କୁ କୈାଣସି ରିଜୋନାଲ ଟ୍ରାନ୍ସପର୍ଟ ଅଫିସ୍ କିମ୍ବା ଡ୍ରାଇଭିଂ ଟେଷ୍ଟ ଦେବାର ଆବଶ୍ୟକତା ପଡିବ ନାହିଁ । ସଡକ ଓ ପରିବହନ ମନ୍ତ୍ରାଳୟ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ଏବଂ ରିନ୍ୟୁଅଲ କରିବା ପାଇଁ ନୂଆ ଗାଇଡଲାଇନ ନେଇଆସିଛନ୍ତି । ଯାହା ଜୁଲାଇ ମାସ ସୁଦ୍ଧା ଲାଗୁ କରାଯିବାର ଯୋଜନା ରହିଛି । । ଏହି ନୂଆ ନିୟମ ଅନୁସାରେ ଲର୍ଣ୍ଣର ଲାଇସେନ୍ସ ପାଇବାର ପୁରା ପ୍ରକ୍ରିୟା ଅନଲାଇନ ଜରିଆରେ ହେବ । ଆପଣଙ୍କ ଆପ୍ଲିକେସନ ଠାରୁ ଆରମ୍ଭ କରି ଲାଇସେନ୍ସର ପ୍ରିଣ୍ଟିଂ ପର୍ଯ୍ୟନ୍ତ ସଂମ୍ପୂର୍ଣ୍ଣ ପ୍ରକ୍ରିୟା ଅନଲାଇନ ଦ୍ୱାରା ହେବ । ନୂଆ ଗାଡିର ରେଜିଷ୍ଟ୍ରେସନ ପ୍ରକ୍ରିୟାକୁ ସହଜ କରିବା ପାଇଁ ଏହିଭଳି ଗାଇଡଲାଇନ ଅଣାଯାଇଛି । ଏବେ ଆପଣ ନିଜର ରେଜିଷ୍ଟ୍ରେସନ ସାର୍ଟିଫିକେଟର ରିନ୍ୟୁଅଲ ୬୦ ଦିନ ଆଡଭାନ୍ସରେ କରିପାରିବେ । ତାସହ ଟେମ୍ପୁରାରୀ ରେଜିଷ୍ଟ୍ରେସନର ସମୟ ସୀମା ମଧ୍ୟ ଏବେ ୧ ମାସରୁ ବୃଦ୍ଦି କରି ୬ମାସ କରିଦିଆଯାଇଛି । ତେଣୁକରି ବର୍ତ୍ତମାନ ଡ୍ରାଇଭିଂ ସହ ଜଡିତ ସମସ୍ତ କାମ ପାଇଁ ଆପଣଙ୍କୁ ଆଉ ଆରଟିଓ ଯିବାକୁ ପଡିବନି ।
ଘରେ ବସି ଏ ସମସ୍ତ କାମ ଅନଲାଇନ ଜରିଆରେ କରିହେବ । ତାସହ ନିଜର ଡ୍ରାଇଭିଂ ଲାଇସେନ୍ସ ପାଇବା ପାଇଁ ଅନଲାଇନ ଜରିଆରେ ଆପଣଙ୍କୁ ଯେ କୈାଣସି ଏକ ମାନ୍ୟତା ପ୍ରାପ୍ତ ଡ୍ରାଇଭିଂ ସ୍କୁଲରେ ରେଜିଷ୍ଟ୍ରେସନ କରାଇବାକୁ ପଡିବ । ଏହିଠାରୁ ପୁରା ଟ୍ରେନିଙ୍ଗ ନେବା ପରେ ହିଁ ଆପଣଙ୍କର ଏକ ଅନଲାଇନ ପରୀକ୍ଷା ହେବ । ଯଦି ଆପଣ ସେହି ପରୀକ୍ଷାରେ ପାସ୍ କରୁଛନ୍ତି ତାହାଲେ ଯାଇ ଆପଣଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିପାରିବ । ସବୁଠୁ ଖାସ୍ କଥା ହେଉଛି ଆପଣଙ୍କୁ ନିଜ କାର୍ କିମ୍ବା ବାଇକ କୁ ଆରଟିଓ ଅଫିସ ନେଇ ଯିବାକୁ ପଡିବନି । ଆଉ ଆପଣଙ୍କ ଟ୍ରେନିଙ୍ଗ ଓ ପରୀକ୍ଷା ସମ୍ବନ୍ଧିତ ସମସ୍ତ ପ୍ରକ୍ରିୟାକୁ ଇଲୋକ୍ଟ୍ରୋନିକାଲି ରେକର୍ଡ କରାଯିବ । ସଡକ ଓ ପରିବହନ ମନ୍ତ୍ରଣାଳୟ ଅନୁସାରେ ଡ୍ରାଇଭିଂ ଟ୍ରେନିଙ୍ଗ ସେଣ୍ଟରର ମାନ୍ୟତା ସେହିମାନଙ୍କୁ ଦିଆଯିବ ଯେଉଁମାନଙ୍କ ପାଖରେ ଡ୍ରାଇଭିଂ ଟ୍ରାକ,ଆଇଟି ଓ ବାୟୋମେଟ୍ରିକ ସିଷ୍ଟମ ଓ ନିର୍ଦ୍ଦାରିତ ସିଲାବସ ଅନୁସାରେ ଟ୍ରେନିଙ୍ଗ ସହ ଜଡିତ ସମସ୍ତ ସୁବିଧା ଉପଲବ୍ଧ ଥିବ । ତେବେ ସଡକ ଓ ପରିବହନ ମନ୍ତ୍ରଣାଳୟ ତରଫରୁ ରାଜ୍ୟ ସରକାରମାନଙ୍କୁ ବି ସୂଚନା ଦିଆଯାଇଛି ଯେ ଜୁଲାଇ ସୁଦ୍ଦା ଏହି ନିୟମକୁ ଲାଗୁ କରାଯିବ । ତାସହ ଯେଉଁ ସଂସ୍ଥା ଏହି ଡ୍ରାଇଭିଂ ଟ୍ରେନିଙ୍ଗ ସେଣ୍ଟର ଚଲାଇବାକୁ ଚାହୁଁଛନ୍ତି । ସେମାନେ ନିଜ ରାଜ୍ୟସରକାରଙ୍କ ପାଖରେ ଏଥିପାଇଁ ଆବେଦନ କରିପାରିବେ ।