ରାଜ୍ୟ

ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର:ବିଶ୍ୱବଜାରରୁ ଟିକା କିଣିବା ନେଇ ଉପୁଜୁଥିବା ସମସ୍ୟାର ସମାଧାନ ଲାଗି ସବୁ ରାଜ୍ୟ ମିଳିତ ଭାବେ ଉଦ୍ୟମ କରିବା ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସବୁ ରାଜ୍ୟକୁ ଆହ୍ବାନ ଦେଇଛନ୍ତି । କେନ୍ଦ୍ର ସରକାର ଭ୍ୟାକ୍ସିନ କିଣିବାକୁ ଚାହୁଁଥିବା ରାଜ୍ୟମାନଙ୍କ ପାଇଁ ବିଶ୍ବ ବଜାରରୁ ଟିକା କିଣି ରାଜ୍ୟଗୁଡିକ ମଧ୍ୟରେ ଯଥାଶୀଘ୍ର ବିତରଣ କରନ୍ତୁ । ଏ ପ୍ରସ୍ତାବ ଉପରେ ରାଜ୍ୟମାନେ ସହମତ ହେଲେ ତୃତୀୟ ଲହର ଆସିବା ପୂର୍ବରୁ ଲୋକଙ୍କ ଜୀବନ ରକ୍ଷା କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀମାନଙ୍କୁ ଲେଖିଥିବା ଚିଠିରେ ନବୀନ ଦୁଇଟି କଥା ଉପରେ ଗୁରୁତ୍ୱ ଦେଇଛନ୍ତି ।

ଗୋଟିଏ ହେଲା କେନ୍ଦ୍ର ସରକାର ଟିକା କିଣି ରାଜ୍ୟମାନଙ୍କ  ଯୋଗାଇ ଦିଅନ୍ତୁ। ଦ୍ୱିତୀୟଟି ହେଲା ଟିକାକାରଣ ଯୋଜନାର ବିକେନ୍ଦ୍ରିକରଣ ସାଙ୍ଗକୁ ଟିକାଦାନ ପଦ୍ଧତ୍ତିକୁ ସରଳିକାରଣ କରି ରାଜ୍ୟକୁ ନିଷ୍ପତ୍ତି ନେବା ପାଇଁ ସୁଯୋଗ ଦେବା । ଉଦାହରଣ ସ୍ୱରୂପ ଆଭ୍ୟନ୍ତରୀଣ ଓ ପାର୍ବତ୍ୟ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖରେ ଯଥେଷ୍ଟ ଇଣ୍ଟରନେଟ ସୁବିଧା ନଥିବାରୁ ଟିକା ନେବାପାଇଁ ଅନଲାଇନ ପଞ୍ଜୀକରଣ କରିପାରୁନାହାନ୍ତି । ତେଣୁ ସେମାନଙ୍କୁ ଟିକା ପ୍ରଦାନ ପାଇଁ ରାଜ୍ୟ ସରକାର ନିଜସ୍ୱ ନୀତି ଗ୍ରହଣ କରିବାକୁ ଅନୁମତି ପ୍ରଦାନ କରିବା ଆବଶ୍ୟକ । ଏହି ଦୁଇଟି ପ୍ରସ୍ତାବକୁ ଗୁରୁତ୍ୱ ଦେଇ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିବା ସହ ୬ ଜଣ ମୁଖ୍ୟମନ୍ତ୍ରୀଙ୍କ ସହିତ ବ୍ୟକ୍ତିଗତ ଭାବେ ଟେଲିଫୋନରେ କଥା ହୋଇଛନ୍ତି ।

ଏହି ୬ଜଣ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିବାଲ ମଧ୍ୟ ଅଛନ୍ତି । ସ୍ବାଧୀନତା ଆନ୍ଦୋଳନ ପରେ ସମ୍ଭବତଃ କରୋନା ବିରୁଦ୍ଧରେ ଲଢେଇ ଦେଶବାସୀଙ୍କ ପାଇଁ ଦ୍ଵିତୀୟ ସର୍ବବୃହତ ସଂଘର୍ଷ ଭାବେ ଉଭା ହୋଇଛି । ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ରାଜନୈତିକ ଓ ବ୍ୟକ୍ତିଗତ ଦ୍ୱେଷ ବିଦ୍ୱେଷରୁ ଉର୍ଦ୍ଧ୍ୱକୁ ଉଠି ସମବାୟ ସଂଘୀୟ ବ୍ୟବସ୍ଥା ଆଧାରରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଆଗେଇଆସିବା ଉଚିତ । 

Leave a Reply

Your email address will not be published. Required fields are marked *