କୋର୍ଟରେ ହାଜର ହେବା ପରେ ଜେଲ୍ ଗଲେ ଦେବଗଡ ବିଧାୟକ ସୁବାସ ପାଣିଗ୍ରାହୀ
ଭୁବନେଶ୍ୱର,1st May,(Knews):– ତିଲେଇବଣିର ବିଡିଓଙ୍କୁ ଆକ୍ରମଣ ଘଟଣାରେ ଗିରଫ ହୋଇଥିବା ଦେବଗଡର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଜିଲ୍ଲା ଦୌରାଜଜ୍ଙ୍କ ଅଦାଲତରେ ହାଜର କରାଯିବା ପରେ ଜାମିନ୍ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏହାସହ ଏହି ଆକ୍ରମଣ ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇ ସହଯୋଗୀ ମଧ୍ୟ ଜେଲ୍ ଯାଇଛନ୍ତି । ବିଜେପି ଦଳର ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଏହି ଆକ୍ରମଣ ଅଭିଯୋଗ ଘଟଣାରେ ପୁଲିସ ଭୁବନେଶ୍ୱରରୁ ଗିରଫ କରିଥିଲା । ତିଲେଇବଣିର ବିଡିଓଙ୍କୁ ସେ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ପରେ ତାଙ୍କୁ ଗିରଫ କରାଯାଇଥିଲା । । ଦେବଗଡରେ ଅଦାଲତରେ ହାଜର କରିବା ପାଇଁ ପୁଲିସ ଆଣୁଥିବା ବେଳେ ବାଟରେ ସେ ଅସୁସ୍ଥ ହୋଇଥିଲେ । ପୁଲିସ ପକ୍ଷରୁ ତାଙ୍କୁ ଚିକିତ୍ସାପାଇଁ ରିଆମାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ସାଲାଇନ୍ ଦିଆୟିବା ପରେ ସ୍ୱାସ୍ଥ୍ୟପରୀକ୍ଷା କରାଯାଇଥିବା ସୂଚନା ମିଳିଛି ।
ସେ ସୁସ୍ଥ ହେବା ପରେ ତାଙ୍କୁ ଅଦାଲତରେ ହାଜର କରାଯାଇଥିଲା । ତାଙ୍କର ଜାମିନ୍ ନାମଞ୍ଜୁର ହେବାରୁ ଜେଲ୍କୁ ପଠାଇ ଦିଆଯାଇଥିବା ସୂଚନା ମିଳିଛି ।