ରାଜ୍ୟରେ ପୁଣି ୬୯୫ ପଜିଟିଭ, ୮୩ ଶିଶୁ ସଂକ୍ରମିତ
ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି ବିଶେଷଜ୍ଞ ମତ ଦେଉଥିଲେ ହେଁ ଦ୍ୱିତୀୟ ଲହର ସରିନାହିଁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । ଏହାରି ମଧ୍ୟରେ ଆଜି ପୁଣି ୬୯୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୪୦୧ ଓ ସ୍ଥାନୀୟ ଅଞ୍ଚଳରୁ ୨୯୪ ଜଣ ଚିହ୍ନଟ ହେବା ସହ ୮୩ ଜଣ ୧୮ ବର୍ଷରୁ କମ୍ ବୟସର ପିଲା ସଂକ୍ରମିତ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୯ ହଜାର ୬୨୧ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ ୫ ହଜାର ୮୭୬ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।