ଗୃହରୁ ନିଲମ୍ବିତ ହେଲେ ଟିଏମସିର ୬ ସାଂସଦ
ନୂଆଦିଲ୍ଲୀ: ସଂସଦରେ ଚାଲିଥିବା ମୌସୁମୀ ଅଧିବେଶନରେ ବିରୋଧୀଙ୍କ ହୋ ହାଲ୍ଲାକୁ ନେଇ ଆକ୍ସନ ମୋଡରେ ରାଜ୍ୟସଭା ଅଧ୍ୟକ୍ଷ । ଏହି କ୍ରମରେ ଆଜି ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କେୟା ନାଇଡୁ ୬ ଜଣ ଟିଏମସି ସାଂସଦଙ୍କୁ ନିଲମ୍ବିତ କରିଛନ୍ତି । ସେମାନଙ୍କୁ ଗୃହରୁ ଗୋଟିଏ ଦିନ ପାଇଁ ନିଲମ୍ବିତ କରାଯାଇଛି । କହିରଖୁ କି ପେଗାସସ ଗୁପ୍ତଚର ମାମଲାରେ ଟିଏମସି ସାଂସଦମାନେ ଅଧ୍ୟକ୍ଷଙ୍କ ପୋଡିୟମ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାକୁ ନେଇ ସେମାନଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ଆଜି (ବୁଧବାର) ସକାଳେ କୃଷି ଆଇନ ନେଇ ଆଲୋଚନା ପାଇଁ ଦିଆଯାଇଥିବା ନୋଟିସକୁ ଅଧ୍ୟକ୍ଷ ସ୍ୱୀକାର କରି ଅନ୍ୟ ନୋଟିସଗୁଡିକୁ ଖାରଜ କରିଦେଇଥିଲେ । ଏହାକୁ ନେଇ ଟିଏମସି ଓ ଅନ୍ୟ ବିରୋଧୀ ସାଂସଦମାନେ ଅଧ୍ୟକ୍ଷଙ୍କ ପୋଡିୟମ ନିକଟରେ ହୋ ହାଲ୍ଲା କରିଥିଲେ । ସେମାନେ ପେଗାସସ ମାମଲାରେ ଆଲୋଚନା ପାଇଁ ଦାବି କରିଥିଲେ ।
ଏନେଇ ଅଧ୍ୟକ୍ଷ ସାଂସଦମାନଙ୍କୁ ସେମାନଙ୍କ ଟେବୁଲ ନିକଟକୁ ଫେରିଯିବାକୁ ଅନୁରୋଧ କରିବା ସହ ଏଭଳି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ । ହେଲେ ସାଂସଦମାନେ ନ ଶୁଣିବାରୁ ଅଧ୍ୟକ୍ଷ ନିୟମ ୨୫୫ ଆଧାରରେ ୬ ଜଣ ଟିଏମସି ସାଂସଦଙ୍କୁ ଗୋଟିଏ ଦିନ ପାଇଁ ଗୃହରୁ ନିଲମ୍ବିତ କରିଛନ୍ତି । ତେବେ ଜୁଲାଇ ୧୯ ରୁ ଉଭୟ ଗୃହରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି । ହେଲେ ପେଗାସସ୍, ଚାଷୀ ଆନ୍ଦୋଳନ ଓ ଦରବୃଦ୍ଧିକୁ ନେଇ ବିରୋଧୀଙ୍କ ହୋ ହାଲ୍ଲା ଯୋଗୁଁ ଆଜି ଯାଏ ଗୋଟିଏ ଦିନ ବି ଠିକରେ ଚାଲି ପାରିନାହିଁ ଉଭୟ ଗୃହ । ଅନ୍ୟପଟେ ବିନା ବିଚାର ବିମର୍ଷରେ କେନ୍ଦ୍ର ସରକାର ବିଭିନ୍ନ ବିଧେୟକକୁ ପାରିତ କରିଛନ୍ତି ।