କରୋନାରେ ମୃତ୍ୟୁ ହେଲେ ପରିଜନଙ୍କୁ ମିଳିବ କ୍ଷତିପୂରଣ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ କ୍ଷତିପୂରଣ ଦାବିରେ ସୁପ୍ରିମକୋର୍ଟରେ ଦାଖଲ ଆବେଦନ ଉପରେ ବୁଧବାର ବଡ ନିଷ୍ପତ୍ତି ଆସିଛି। ସର୍ବୋଚ୍ଚ ନ୍ୟାୟାଳୟ କରୋନାରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିଜନଙ୍କୁ କ୍ଷତିପୂରଣ ମିଳିବା ଉଚିତ୍ ବୋଲି କହିଛନ୍ତି। ହେଲେ ଏହି ରାଶି କେତେ ହେବ, ଏହାର ନିର୍ଦ୍ଧାରଣ କେନ୍ଦ୍ର ସରକାର କରିବେ। ଉଚ୍ଚତମ ନ୍ୟାୟାଳୟ କୋଭିଡ-୧୯ରେ ମୃତକଙ୍କ ପରିଜନଙ୍କୁ ଅନୁକମ୍ପାମୂଳକ ରାଶି ଦେବା ପାଇଁ ୬ ସପ୍ତାହ ଭିତରେ ଗାଇଡଲାଇନ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ ଚାରି ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦେବାକୁ ଆବେଦନରେ ଉଲ୍ଲେଖ ରହିଛି।
ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କ ସେହି ଯାଚିକାକୁ ଖାରଜ କରିଛନ୍ତି, ଯେଉଁଥିରେ ସରକାର କହିଥିଲେ ଯେ, କରୋନାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ କୌଣସି ଅନୁକମ୍ପାମୂଳକ ରାଶି ଦିଆଯାଇ ପାରିବ ନାହିଁ। ହେଲେ ଅଦାଲତ ଆଜି କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାରଙ୍କୁ କହିଛନ୍ତି। ହେଲେ କୋର୍ଟ ଏହି ଅନୁକମ୍ପାମୂଳକ ରାଶି କେତେ ରହିବ ତାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଉପରେ ଛାଡିଛନ୍ତି। ଅଦାଲତ ଏହା ମଧ୍ୟ କହିଛନ୍ତି, ଏନଡିଏମଏ ଆଧାରରେ ରାଷ୍ଟ୍ରୀୟ ପ୍ରାଧୀକରଣ ଦ୍ଵାରା ଏହି ରାଶି ନିର୍ଦ୍ଧାରଣ କରାଯିବ। କିନ୍ତୁ ସୁପ୍ରିମକୋର୍ଟ ଚାରି ଲକ୍ଷ ଟଙ୍କା ଦେବା ଦାବିକୁ ଅଗ୍ରାହ୍ୟ କରିଛନ୍ତି।
ଉଲ୍ଲେଖନୀୟ, କରୋନାରେ ମୃତ୍ୟୁ ଘଟିଥିବା ମୃତକଙ୍କ ପରିଜନଙ୍କୁ କ୍ଷତିପୂରଣ ଦେବା ଯାଚିକାକୁ କେନ୍ଦ୍ର ସରକାର ବିରୋଧ କରିଥିଲେ। କେନ୍ଦ୍ର ସତ୍ୟପାଠ ମାଧ୍ୟମରେ ସୁପ୍ରିମକୋର୍ଟରେ ଜଣାଇଥିଲେ ଯେ, ଏହାର ଖର୍ଚ୍ଚଭାର ଉଠାଇବାକୁ ସରକାର ଅସମର୍ଥ। ସୁପ୍ରିମକୋର୍ଟ ଜୁନ ୨୧ରେ ଏହି ମାମଲା ସଂପର୍କିତ ଦୁଇଟି ଜନସ୍ଵାର୍ଥ ମାମଲା ଉପରେ ନିଜର ରାୟ ସଂରକ୍ଷିତ ରଖିଥିଲେ। ଆବେଦନରେ ଦାବି କରାଯାଇଥିଲା, କରୋନା ଭାଇରସରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନଙ୍କୁ ୪ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଦାବି କରିଥିଲେ। ଏଥିସହ ମୃତ୍ୟୁ ପ୍ରମାଣପତ୍ର ଜାରି କରିବା ପାଇଁ ଏକ ସମାନ ନୀତି ତିଆରି କରିବାକୁ ଅନୁରୋଧ କରିଥିଲେ।
