ରାଜ୍ୟ

ସପ୍ତାହାନ୍ତ ସଟ୍‌ଡାଉନ୍‌ରେ ପ୍ରାତଃଭ୍ରମଣ ପାଇଁ ୫ରୁ ୬ଟା କୋହଳ

ଭୁବନେଶ୍ୱର : ଆସନ୍ତାକାଲି ଠାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ସପ୍ତାହାନ୍ତ ସଟ୍‌ଡାଉନ୍ ଆରମ୍ଭ ହେଉଛି । ବର୍ଦ୍ଧିତ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି କଟକଣା ଜାରି କରାଯାଇଥିବା ବେଳେ ଏଥିରେ ସାମାନ୍ୟ କୋହଳ କରାଯାଇଛି । ଆଜି ରାତି ୯ଟା ରୁ ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଦୋକାନ ବଜାର, ଗାଡ଼ିମଟର ସବୁ ବନ୍ଦ । ଏହାବାଦ ଶନିବାର ଓ ରବିବାର ସକାଳ ୫ଟାରୁ ୬ଟା ଗୋଟିଏ ଘଣ୍ଟା ଜଗିଙ୍ଗ,ମର୍ଣ୍ଣିୱାର୍କ ବା ସାଇକେଲିଂ ପାଇଁ କୋହଳ କରାଯାଇଛି ବୋଲି ଏସ୍‌ଆରସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

ସ୍ୱତନ୍ତ୍ର ରିଲିଫ୍ କମିସନର କହିଛନ୍ତି ଯେ ଶୁକ୍ରବାରରୁ ଆରମ୍ଭ ହେବାକୁ ଥିବା ନାଇଟକର୍ଫ୍ୟୁ ଶନିବାର ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ଶନିବାର ସକାଳ ଠାରୁ ଆରମ୍ଭ ହେବ ସପ୍ତାହାନ୍ତ ସଟଡାଉନ । ଆଉ ଏହା ସୋମବାର ସକାଳ ୫ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ସମସ୍ତ ପ୍ରକାର ସେବା ବନ୍ଦ ରହିବ । କ୍ଷୀର, ପେଟ୍ରୋଲ ପମ୍ପ , ଡାକ୍ତରକଖାନା ଓ ମେଡିସିନ୍ ଦୋକାନ, ମେଡିକାଲ, କ୍ଲିନିକ୍ ଓ ନର୍ସିଂହୋମ୍ ଖୋଲା ରହିବ । ଏହା ସହ ଜଡ଼ିତ ସମସ୍ତ କର୍ମଚାରୀ ପରିଚୟ ପତ୍ର ଦେଖାଇ ଯାତାୟତ କରିପାରିବେ । ଜିଲ୍ଲା, ମହାନଗର ନିଗମ, ପୁଲିସ ଓ ଅଗ୍ନିଶମ ବାହିନୀରେ କାର୍ଯ୍ୟରତ ବ୍ୟକ୍ତି ଯାତାୟତ କରିପାରିବେ । ଜରୁରୀ ସେବାରେ ନିୟୋଜିତ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ଟେଲିକମ୍ ସର୍ଭିସ୍‌, ପେଟ୍ରୋଲ ପମ୍ପ୍‌, ଏଲପିଜି ବିତରଣ ଉପରେ କଟକଣା ରହିବ ନାହିଁ ।

ଖବରକାଗଜ ଓ ବୈଦ୍ୟୁତିକ ଗଣମାଧ୍ୟମରେ କାର୍ଯ୍ୟରତ ସାମ୍ବାଦିକ ଯାତାୟତ କରିପାରିବେ । ସକାଳ ୫ଟାରୁ ୮ଟା ମଧ୍ୟରେ ଖବରକାଗଜ ବଣ୍ଟନ ଲାଗି ଅନୁମତି ରହିଛି । ପାନୀୟ ଜଳ ଯୋଗାଣ, ସାନିଟାଇଜେସନ୍ ଓ ସ୍ୱେରେଜ୍ ୱାର୍କରଙ୍କୁ ଅନୁମତି ମିଳିବ । ବିଦ୍ୟୁତ୍ ବିତରଣ, ମାଲପରିବହନ ଉପରେ କଟକଣା ରହିବ ନାହିଁ । ଶିଳ୍ପ ଉଦ୍ୟୋଗ ଓ ନିର୍ମାଣ କାର୍ଯ୍ୟ ଚାଲୁ ରହିବ । କୃଷି, ପଶୁପାଳନ, ମଣ୍ଡିରେ ଫସଲ କ୍ରୟ ଜାରି ରହିବ । ରେଳ ଓ ବିମାନ ସେବା ଜାରି ରହିବ । ଯାତ୍ରୀଙ୍କୁ ଷ୍ଟେସନ୍ ଓ ବସଷ୍ଟାଣ୍ଡରୁ ଟିକେଟ୍ ଦେଖାଇ ନେବା ଆଣିବା କରି ହେବ । ସ୍ଥାନୀୟ ପ୍ରଶାସନ ଅନୁମତିରେ ବିବାହ ଓ ଅନ୍ତ୍ୟେଷ୍ଟି କାର୍ଯ୍ୟ କରାଯାଇ ପାରିବ । ଆରବିଆଇ ଓ ଅନ୍ୟ ଆର୍ôଥକ ସଂସ୍ଥା କାର୍ଯ୍ୟ ଜାରି ରହିବ । ଅନଲାଇନ୍ ଖାଦ୍ୟ ଯୋଗାଣ ଉପରେ କଟକଣା ରହିବ ନାହିଁ । ରାଜପଥ କଡ଼ରେ ଥିବା ହୋଟେଲ ଓ ଢାବା କେବଳ ପାର୍ସଲ ଦେଇପାରିବେ । ଫୁଡ୍ ଓ ଗ୍ରସରୀ ସାମଗ୍ରୀର ହୋମ୍ ଡେଲିଭରି ଦେଇ ହେବ ବୋଲି ଶ୍ରୀ ଜେନା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *