ରାଜନୀତିରାଜ୍ୟ

ପ୍ରଚାର ମୈଦାନକୁ ଓହ୍ଲାଇଲେ ପ୍ରଦୀପ୍ତ ଓ କନକବର୍ଦ୍ଧନ


ଭୁବନେଶ୍ୱର : ପିପିଲିରେ ରାଜ୍ୟ ବିଜେପିର ତମାମ ନେତୃବୃନ୍ଦଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସଭାପତି, ପ୍ରଭାରୀ, ସହ ପ୍ରଭାରୀ ପ୍ରମୁଖ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର ଆରମ୍ଭ କରିଛନ୍ତି । ଇତିମଧ୍ୟରେ ପ୍ରଚାର ମୈଦାନକୁ ଆଜି ଓହ୍ଲାଇଛନ୍ତି ଦଳର ଦୁଇ ହେଭିୱେଟ୍ ତଥା ଷ୍ଟାର ପ୍ରଚାରକ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏବଂ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ । ଉଭୟ ପିପିଲି ଏନ୍‌ଏସି ସମେତ ପିପିଲି-ଡେଲାଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ୍ ବିଭିନ୍ନ ପଞ୍ଚାୟତ ବୁଲି ଆଶ୍ରିତଙ୍କ ପାଇଁ ଜନତାଙ୍କ ଆଶୀର୍ବାଦ ଲୋଡ଼ିଛନ୍ତି। ଏହି ଅବସରରେ ଶ୍ରୀ ନାଏକ କହିଛନ୍ତି ଯେ ଯିଏ ଏଠାରେ ୩୫ ବର୍ଷ ଧରି ବିଧାୟକ ଥିଲେ ସେ ଦଳୀୟ କର୍ମୀଙ୍କ ଲାଗି କେବଳ କାମ କରୁଥିଲେ । ବାର୍ଦ୍ଧକ୍ୟ ଭତ୍ତା ଠାରୁ ଆରମ୍ଭ କରି ରାସନ୍ କାର୍ଡ ଓ ଘର ପ୍ରଦାନରେ ବାଛ ବିଚାର କରୁଥିଲେ । କେବଳ ତାଙ୍କ ଚାଟୁକାରମାନଙ୍କ କଥା ବୁଝୁଥିଲେ । ହେଲେ ଆଶ୍ରିତ ପଟ୍ଟନାୟକ ଏଠାରୁ ଜିତିଲେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‌କା ସାଥ୍ ସବ୍‌କା ବିକାଶ ମନ୍ତ୍ର ନେଇ କାର୍ଯ୍ୟ କରିବେ । ଆମେ ଏହି କଥା ସମସ୍ତଙ୍କ ଆଗରେ ରଖି ଭୋଟ୍ ମାଗୁଛୁ
ସେହିଭଳି ଶ୍ରୀ ସିଂଦେଓ କହିଛନ୍ତି ଯେ ପିପିଲିରେ ରାସ୍ତାଘାଟ ସଂପୂର୍ଣ୍ଣଭାବେ ବିପର୍ଯ୍ୟସ୍ତ ହୋଇଛି । ମୁଁ ରାଜସ୍ଥାନରେ ବିବାହ କରିଛି । ସେଠାରେ ଲୋକମାନେ ଓଟ ପିଠିରେ ବସିକି ଗଲେ ଯେପରି ଅନୁଭବ ହୁଏ ପିପିଲି ରାସ୍ତାରେ ଗାଡ଼ିରେ ଆସିବା ସମୟରେ ମୁଁ ସେମିତି ଅନୁଭବ କଲି । ପିପିଲିର ଉନ୍ନତୀ କିପରି ହେବ ସେନେଇ ପୂର୍ବତନ ବିଧାୟକଙ୍କର କୋଣସି ରୋଡ୍‌ମ୍ୟାପ ନଥିଲା । ଅଞ୍ଚଳବାସୀ ବାରମ୍ବାର ଭୋଟ ଦେଉଛନ୍ତି, କିନ୍ତୁ ସେମାନେ ବିକାଶ ଧାରାରେ ସାମିଲ ହୋଇପାରୁନାହାଁନ୍ତି । କେବଳ ନିର୍ବାଚନ ସମୟରେ ଶାସକ ଦଳ ବଡ଼ ବଡ଼ ପ୍ରତିଶୃତି ଦେଇଥାଏ କିନ୍ତୁ ନିର୍ବାଚନ ସରିଗଲେ ‘ଯଥା ପୂବଂ ତଥା ପରଂ’ ଭଳି ଆଚରଣ ଦେଖାଏ ।

୧୨ରେ ପିପିଲି ଯିବେ ଅପରାଜିତା

ଭୁବନେଶ୍ୱର : ପିପିଲି ଉପନିର୍ବାଚନରେ ବିଜେପି ବିଶାଳ ପ୍ରଚାର ଅଭିଯାନ ଆରମ୍ଭ କରିଥିବା ବେଳେ ଆସନ୍ତାକାଲି ଏହାର ମଙ୍ଗ ଧରିବେ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ ଓରାମ । ସେହିଭଳି ୧୨ ତାରିଖରେ ଭୁବନେଶ୍ୱର ସାଂସଦ ତଥା ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼ଙ୍ଗୀ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପିପିଲିରେ ପ୍ରଚାର କାର୍ଯ୍ୟରେ ଯୋଗଦେବେ । ଆସନ୍ତାକାଲି ଶ୍ରୀ ଓରାମ ଦଳର ପୁରୀ ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ସହ ମିଶି ପିପିଲି ବ୍ଲକ ଅନ୍ତର୍ଗତ ମଙ୍ଗଳପୁର, ଦୁର୍ଗାଦାସପୁର, କୁଳଶ୍ରୀପାଟଣା ଓ ଦାଣ୍ଡମୁକୁନ୍ଦପୁର ପଞ୍ଚାୟତରେ ନିର୍ବାଚନୀ ସଭାରେ ଯୋଗଦେବେ । ସେହିଭଳି ଶ୍ରୀମତୀ ଷଡ଼ଙ୍ଗୀ ଆସନ୍ତା ୧୪ ଏବଂ ୧୫ ତାରିଖରେ ମଧ୍ୟ ପ୍ରଚାର କରିବେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧୩ ତାରିଖରେ ପିପିଲି ଯିବାନେଇ ସ୍ଥିର ହୋଇଛି ।

Leave a Reply

Your email address will not be published. Required fields are marked *