Uncategorized

ଆଶ୍ୱସ୍ତ କଲା କାଳବୈଶାଖୀ: ଛେଚିଲା, ଭସେଇଲା ରାସ୍ତାଘାଟରେ ବନ୍ୟା, ଅନ୍ଧାରରେ ଅଧା ରାଜଧାନୀ

ଭୁବନେଶ୍ବର,4th May,(Knews):: ଗତ କିଛି ଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ସନ୍ତୁଳି ହେଉଥିବା ରାଜଧାନୀ ମଙ୍ଗଳବାର ସଂଧ୍ୟାରେ ସାମାନ୍ୟ ଆଶ୍ବସ୍ତ ହୋଇଛି। ରାଜଧାନୀ ଓ ଉପକଣ୍ଠରେ ପାଖାପାଖି ୪ଘଣ୍ଟା ଧରି କାଳବୈଶାଖୀ ଜନିତ ବର୍ଷା, ପବନ ଯୋଗୁଁ ଅସହ୍ୟ ଗରମ ଓ ଗୁଳୁଗୁଳିରୁ ତ୍ରାହି ମିଳିଛି। ଏହାସହ ତାପମାତ୍ରା ପାଖାପାଖି ୬ ଡିଗ୍ରି ପର୍ଯ୍ୟନ୍ତ କମିଯାଇଛି। ଗତକାଲି ରାତି ସାଢ଼େ ୯ଟାରେ ରାଜଧାନୀର ତାପମାତ୍ରା ୨୯ଡିଗ୍ରି ରହିଥିବା ବେଳେ ବର୍ଷା ଯୋଗୁଁ ଆଜି ଏହା ୨୪ ଡିଗ୍ରି ପାଖାପାଖି ରହିଥିଲା। ରାଜଧାନୀରେ ଚଳିତ ବର୍ଷର ଏହା ପ୍ରଥମ କାଳବୈଶାଖୀ ବୋଲି କୁହାଯାଉଛି। ସୂଚନାନୁସାରେ, ମଙ୍ଗଳବାର ଦିନତମାମ ରାଜଧାନୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଦେଖାଦେଇଥିଲା। ଗତକାଲି ଅପେକ୍ଷା ଦେଢ଼ ଡିଗ୍ରି ଯାଏ ତାପମାତ୍ରା ବଢ଼ି ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରିରେ ପହଞ୍ଚିଥିଲା। ତେବେ ଅପରାହ୍‌ଣ ୪ଟାରୁ ଖରାର ପ୍ରକୋପ କମିଯାଇଥିଲା। ସଂଧ୍ୟା ପାଖାପାଖି ୭ଟାରୁ ହଠାତ୍‌ ରାଜଧାନୀର ପାଗରେ ପରିବର୍ତ୍ତନ ଦେଖାଦେବା ସହ ପବନ ସହ ବର୍ଷା ଆରମ୍ଭ ହୋଇଥିଲା। ପାଖାପାଖି ୪ ଘଣ୍ଟା ଧରି ନିର୍ଧୁମ୍‌ ବର୍ଷା ହୋଇଥିଲା। ବର୍ଷା ଯୋଗୁଁ ରାଜପଥ ସମେତ ଖାଲୁଆ ଅଞ୍ଚଳ‌ ଜଳମଗ୍ନ ହୋଇଯାଇଥିଲା। ବିଭିନ୍ନ ସ୍ଥାନରେ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଥିଲା। ଅଧିକାଂଶ ସ୍ଥାନରେ ବିଦ୍ୟୁତ୍‌ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇଯାଇଥିଲା। ଖବର ଲେଖା ହେବା ସୁଦ୍ଧା‌ ବିଳମ୍ବିତ ରାତି ଯାଏ ଝିପିଝିପି ବର୍ଷା ଲାଗି ରହିଥିଲା ଓ ଅଧା ରାଜଧାନୀ ଅନ୍ଧାରରେ ରହିଥିଲା।

ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁଯାୟୀ, ବର୍ତ୍ତମାନ ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିଗରୁ ସାମୁଦ୍ରିକ ବାୟୁ କ୍ରମାଗତ ଭାବେ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି। ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରୁଛି। ଫଳରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ଜାରି ରହିଛି। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ଉପକୂଳ ସମେତ ଆଭ୍ୟନ୍ତର ଓ ପଶ୍ଚିମରେ ଅପରାହ୍‌ଣ ପରେ କାଳବୈଶାଖୀ ଦେଖାଯିବ।

Leave a Reply

Your email address will not be published. Required fields are marked *