ଅପରାଧରାଜ୍ୟ

ଚିତ୍ତ ରଞ୍ଜନଙ୍କ ପରିବାର ଲୋକଙ୍କ ଅଭିଯୋଗ: କହିଲେ, ଧାର ଟଙ୍କାକୁ ନେଇ ହତ୍ୟାକାଣ୍ଡ

ପୁରୀ: ଚିତ୍ତ ରଞ୍ଜନ ପଲେଇଙ୍କ ମୃତ୍ୟୁ ଘଟଣାରେ ପରିବାର ପକ୍ଷରୁ ତା’ର ବନ୍ଧୁ ଜଗାକୁ ଦାୟୀ କରାଯାଇଛି । ୫ ମାସ ତଳେ ଚିତ୍ତଙ୍କ ବାହାଘର ହୋଇଥିଲା । ପରିବାରର ଅଭିଯୋଗ ଅନୁଯାୟୀ, ଚିତ୍ତଙ୍କଠାରୁ ଜଗା କିଛି ଅର୍ଥ ଧାର୍‌ ନେଇଥିଲା । ଧାର୍‌ ଅର୍ଥ ଫେରାଇବା ନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳରୁ ଚିତ୍ତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକ ସନ୍ଦେହ କରିଛନ୍ତି । ଗତ ଶନିବାର ଚିତ୍ତ ତାଙ୍କ ଘରୁ ଆଉ ଜଣେ ବନ୍ଧୁ ଦିଲ୍ଲୀପ ଜରିଆରେ ପ୍ୟାଣ୍ଟସାର୍ଟ ମଗାଇଥିଲେ ।

ସେମାନେ ଜଗା ଘରକୁ ଭୋଜି ପାଇଁ ଯାଇଥିଲେ । ଭୋଜିରେ ଚିତ୍ତଙ୍କୁ ଅତ୍ୟଧିକ ମଦ ପିଆଇ ଦିଆଯାଇଥିଲା । ପରେ ଧାର ଅର୍ଥକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ଚିତ୍ତଙ୍କୁ ଜଗା ହତ୍ୟା କରି ନଦୀରେ ଫିଙ୍ଗି ଦେଇଥିବା ପରିବାର ଲେକ ଅଭିଯୋଗ କରିଛନ୍ତି । ଚିତ୍ତଙ୍କ ମୃତ୍ୟୁ ନେଇ ପରିବାରରେ ଶୋକାକୁଳ ପରିବେଶ ସୃଷ୍ଚି ହୋଇଛି ।

ପରିବାର ପକ୍ଷରୁ ଚିତ୍ତଙ୍କ ହତ୍ୟାକାରୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପୁରୀ ଏସପିଙ୍କ ପାଖରେ ଦାବି କରାଯାଇଛି । ଅନ୍ୟପକ୍ଷରେ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ପୂର୍ବତନ ବିଧାୟକ ସଞ୍ଜୟ ଦାସବର୍ମା । ଚିତ୍ତରଞ୍ଜନଙ୍କ ଅକାଳ ବିୟୋଗରେ ସେ ଗଭୀର ଭାବେ ମର୍ମାହତ ହୋଇଥିବା କହିଛନ୍ତି । ମୃତକଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜଣାଇବା ସହ ସେମାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ତଦନ୍ତ ହେଲେ ସତ୍ୟ ଉନ୍ମୋଚିତ ହେବ ବୋଲି କହିଛନ୍ତି ଶ୍ରୀ ଦାସବର୍ମା । ସୂଚନା ଯୋଗ୍ୟ, ସଦର ଥାନା ଗଡ଼ ମୃଗଶିରା ବ୍ରିଜ୍‌ ନିକଟ ନୂଆ ନଈପଠାରୁ ବ୍ରହ୍ମଗିରି ସାନ ବନ୍ଧକେରା ଗାଁର ୨୮ବର୍ଷୀୟ ଚିତ୍ତରଞ୍ଜନ ପଲେଇଙ୍କ ମୃତଦେହ ଉଦ୍ଧାର ହୋଇଥିଲା।

ଏନେଇ ପୁରୀ ସଦର ଥାନାରେ ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି ପୋଲିସ । ଚିତ୍ତରଞ୍ଜନ ଗତକାଲି ତାଙ୍କର କିଛି ବନ୍ଧୁଙ୍କ ସହ ଭୋଜି କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ଗଡ଼ ମୃଗଶିରା ବ୍ରିଜ୍ ନିକଟରେ ରକ୍ତଛିଟା ପଡ଼ିଥିବା ବେଳେ ତାଙ୍କ ଜୋତା ଓ ମୋବାଇଲ ଇତ୍ୟାଦି ପୋଲିସ ଜଵତ କରିଛି । ପାରିପାର୍ଶ୍ୱିକ ସ୍ଥିତି ଦେଖି ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି । ଗତ କିଛି ମାସ ତଳେ ବିବାହ କରିଥିଲେ ଚିତ୍ତରଂଜନ । ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ତଦନ୍ତ କରିବ ।

Leave a Reply

Your email address will not be published. Required fields are marked *