ଖେଳରାଜ୍ୟ

ଆସନ୍ତାକାଲି ଏଫ୍‌ଆଇଏଚ୍ ଓଡ଼ିଶା ଜୁନିୟର୍ ପୁରୁଷ ବିଶ୍ୱକପ୍‌


ଭୁବନେଶ୍ୱର: ଆସନ୍ତାକାଲି ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଆରମ୍ଭ ହେବାକୁ ଯାଉଛି ଏଫ୍‌ଆଇଏଚ୍ ଓଡ଼ିଶା ଜୁନିୟର୍ ପୁରୁଷ ବିଶ୍ୱକପ୍ । ଏଥିରେ ୧୬ଟି ଦେଶ ଭାଗ ନେଉଥିବା ବେଳେ ସେମାନଙ୍କୁ ୪ଟି ପୁଲ୍‌ରେ ବିଭକ୍ତ କରାଯାଇଛି । ୨୪ ତାରିଖ ପୂର୍ବାହ୍ନ ସାଢ଼େ ୯ଟା ବେଳେ ପୁଲ୍‌-ଏ’ର ଦୁଇ ଟିମ୍ ବେଲଜିୟମ୍ ଓ ସାଉଥ୍ ଆଫ୍ରିକା ମ୍ୟାଚ୍‌ରୁ ଏହି ବିଶ୍ୱକପ୍ ବିଗୁଲ୍ ବାଜିବ । ଉଦ୍‌ଘାଟନୀ ଦିବସର ଶେଷ ମୁକାବିଲାରେ ରାତି ୮ଟା ବେଳେ ଆୟୋଜକ ଭାରତ କାନାଡା ବିପକ୍ଷରୁ ତା’ର ଅଭିଯାନ ଆରମ୍ଭ କରିବ । ତେବେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ପ୍ରତିଟି ଟିମ୍ ବିଶ୍ୱକପ୍ ବିଜୟୀ ହେବା ଆଶାରେ ଏଠାକାର ନବୀକରଣ ଷ୍ଟାଡିୟମ୍‌ରେ ଟର୍ଫକୁ ଓହ୍ଲାଇବାକୁ ଥିଲେ ହେଁ ଆୟୋଜକ ଦଳ ତଥା ଗତ ୨୦୧୬ରେ ଟାଇଟଲ୍ ଜିତିଥିବା ଭାରତ ଏହି ସଫଳତା ବଜାୟ ରଖିବା ନେଇ ବେଶ୍ ଆଶାବାଦୀ ରହିଛି ।

ଏନେଇ ଦଳର ଅଧିନାୟକ ତଥା ଗତ ଟୋକିଓ ଅଲିମ୍ପିକ୍ସରେ ଐତିହାସିକ ବ୍ରୋଞ୍ଜ୍ ପଦକ ଜିତିଥିବା ଭାରତୀୟ ସିନିୟର୍ ଟିମ୍‌ର ସଦସ୍ୟ ଥିବା ବିବେକ ସାଗର ପ୍ରସାଦ କହିଛନ୍ତି ଯେ ବିଶ୍ୱକପ୍ ପରି ଗୁରୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ଆମକୁ ଏଠାରେ ଅଭ୍ୟାସ କରିବାର ସୁଯୋଗ ମିଳିଥିବାରୁ ଏହା ଆମ ପାଇଁ ବରଦାନ ସାବ୍ୟସ୍ତ ହେବ । ତା’ଛଡ଼ା ସିନିୟର୍ ଟିମ୍‌ର ସଦସ୍ୟମାନଙ୍କ ସହ ମଧ୍ୟ ଅଭ୍ୟାସ କରିବାର ସୁଯୋଗ ମିଳିଛି । ଏହା ବିଶ୍ୱକପ୍ ପାଇଁ ଆମର ପ୍ରସ୍ତୁତିକୁ ଆହୁରି ଦମ୍‌ଦାର କରିଛି । ଏଠାକାର ପରିବେଶ ସହ ନିଜକୁ ଖାପ ଖୁଆଇବା ଦିଗରେ ଆମେମାନେ ସକ୍ଷମ ହୋଇଥିବା ବେଳେ କଳିଙ୍ଗ ଷ୍ଟାଡିୟମ୍ ପରି ଏକ କିମ୍ବଦନ୍ତୀ ଭେନ୍ୟୁରେ ନିଶ୍ଚିତ ଭାବେ ଆମେ କ୍ରମାଗତ ଟାଇଟଲ୍ ହାସଲ କରି ଘରୋଇ ଦର୍ଶକଙ୍କ ପାଇଁ ଭରପୂର ଖୁସି ଆଣିଦେବୁ ବୋଲି ଏହି ଯୁବ ଖେଳାଳି ଜଣକ କହିଛନ୍ତି ।

ଭାରତ ଗ୍ରୁପ୍‌-ବି’ରେ ସ୍ଥାନ ପାଇଥିବା ବେଳେ ଏଥିରେ ଦଳର ମୁକାବିଲା କାନାଡା, ଫ୍ରାନ୍ସ ଓ ପୋଲାଣ୍ଡ୍ ସହ ହେବ । ଆଗାମୀ ବିଶ୍ୱକପ୍ ପାଇଁ ଦଳର ପ୍ରସ୍ତୁତି ସମ୍ପର୍କରେ ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍ ଗ୍ରାହାମ୍ ରିଡ୍ କହିଛନ୍ତି ଯେ ଏହି ଟୁର୍ଣ୍ଣାମେଣ୍ଟ୍ ପୂର୍ବରୁ ଯଦିଓ ଆମର ଖେଳାଳିମାନେ କୌଣସି ବିଦେଶ ଗସ୍ତରେ ଯାଇପାରିନାହାନ୍ତି, ତଥାପି ସିନିୟର୍ ଟିମ୍ ସହ ଏଠାରେ ଖେଳିଥିବା ଅଭ୍ୟାସ ମ୍ୟାଚ୍ ଯଥେଷ୍ଟ ମୂଲ୍ୟବାନ ସାବ୍ୟସ୍ତ ହେବ । ଖେଳାଳିମାନେ କଳିଙ୍ଗ ଷ୍ଟାଡିୟମ୍‌ର ପରିବେଶ ସହ ନିଜକୁ ଖାପ ଖୁଆଇସାରିଛନ୍ତି ଓ ଦଳର ପ୍ରସ୍ତୁତି ନିଶ୍ଚିତ ଭାବେ ପ୍ରତିଦ୍ୱନ୍ଦ୍ୱୀ ଟିମ୍‌କୁ କଡ଼ା ଟକ୍କର ଦେବାରେ ସକ୍ଷମ ହେବ ବୋଲି ରିଡ୍ କହିଛନ୍ତି ।

Leave a Reply

Your email address will not be published. Required fields are marked *