ରାଜ୍ୟ

ଆଜି ଉପକୂଳରେ ହାଲୁକା ବର୍ଷା ସମ୍ଭାବନା : ଫେରିବ ଜାଡ଼, ୫ ଡିଗ୍ରୀ ଖସିବ ପାରଦ

ଭୁବନେଶ୍ୱର: ଉପକୂଳ ଆନ୍ଧ୍ରପ୍ରଦେଶ ଦେଇ ଆଭ୍ୟନ୍ତରୀଣ ଓଡ଼ିଶା ଯାଏ ଲମ୍ବିଥିବା ନିମ୍ନଚାପରେଖା ଧୀରେ ଧୀରେ ଦୁର୍ବଳ ହେବାରେ ଲାଗିଛି । ନିମ୍ନଚାପରେଖା ସକାଶେ ରାଜ୍ୟର ଏକାଧିକ ସ୍ଥାନରେ ଭାରି ବର୍ଷା ରେକର୍ଡ ହୋଇଛି । ନୟାଗଡ଼, କେନ୍ଦୁଝର, କୋରାପୁଟରେ ବହୁଳ ବର୍ଷା ରେକର୍ଡ ହୋଇଥିବାବେଳେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ଯାଏ ରାଜ୍ୟର ସ୍ଥାନେ ସ୍ଥାନେ ବର୍ଷା ଜାରି ରହିବ । ଆସନ୍ତାକାଲି ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ ବର୍ଷା ହେବ । ପରେ ବର୍ଷା କେବଳ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ହେବା ସମ୍ଭାବନା ରହିଛି ।

କିନ୍ତୁ ୨୪ ଘଣ୍ଟା ପରେ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ତା’ସହ ଶୀତର ପରିମାଣ ବୃଦ୍ଧିପାଇବା ସହ ସର୍ବନିମ୍ନ ପାରଦ ସ୍ୱାଭାବିକଠାରୁ ୩ରୁ ୫ ଡିଗ୍ରୀ ଯାଏ ଖସିବା ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ ଏଚ୍ ଆର୍ ବିଶ୍ୱାସ କହିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଶୀତ ବଢ଼ିବ । ୨୪ରୁ ଅଧିକାଂଶ ଆଭ୍ୟନ୍ତରୀଣ ଜିଲ୍ଲାରେ ପାଗ ଶୁଖିଲା ରହିବା ସହ ରାତି ତାପମାତ୍ରା ଖସିବା ଆରମ୍ଭ ହେବ । ୨୫ରୁ ଆକାଶ ମୁଖ୍ୟତଃ ମେଘମୁକ୍ତ ରହିବା ସହ ଆଭ୍ୟନ୍ତରୀଣ ତଥା ଉପକୂଳ ଜିଲ୍ଲାକୁ ପୁଣି ଉତ୍ତରା ପବନ ବହିବା ଆରମ୍ଭ ହେବ । ବଙ୍ଗୋପସାଗର ଉପରେ କ୍ରମାଗତ ଭାବେ ବଳୟ ସୃଷ୍ଟି ହେଉଥିବାରୁ ପୂର୍ବ ପଟୁ ଆର୍ଦ୍ର ତଥା ଗରମ ବାୟୁ ପ୍ରବାହ ଜାରି ରହିଛି । ଏହା ଉତ୍ତର-ପୂର୍ବ ମୌସୁମୀ ବାୟୁ ପ୍ରବାହକୁ ପ୍ରଭାବିତ କରିଛି । ୨୪ରୁ ରାଜ୍ୟରେ ପୁଣି ଉତ୍ତରା ପବନ ବହିବା ସହ ଶୀତର ପରିମାଣ ବୃଦ୍ଧି ହେବା ନେଇ ପୂର୍ବନୁମାନ କରାଯାଇଥିବା ଶ୍ରୀ ବିଶ୍ୱାସ କହିଛନ୍ତି । ରାଜ୍ୟରେ ଏବେ ତାପମାତ୍ରା ସ୍ୱାଭାବିକଠୁ ୩ ଡିଗ୍ରୀ ଅଧିକ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *