ଦେଶ- ବିଦେଶ

ଥମୁଛି କରୋନାର ବେଗ, ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୨୪ ହଜାର ନୂଆ ସଂକ୍ରମିତ, ମୃତ୍ୟୁ ସଂଖ୍ୟା ମଧ୍ୟ କମୁଛି

ନୂଆଦିଲ୍ଲୀ : କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଗତ ୨୪ ଘଣ୍ଟାରେ ସାରା ଦେଶରୁ ୨୪ ହଜାର ୩୫୪ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଥିବାର ଶନିବାର ସୂଚିତ କରିଛନ୍ତି। ଦେଶରେ କରୋନା ଦ୍ୱିତୀୟ ଲହର ଆରମ୍ଭ ପରଠାରୁ ନୂଆ ସଂକ୍ରମଣର ଏହା ସବୁଠୁ କମ୍‌ ହାର ବୋଲି କୁହାଯାଇଛି। ଏଥିରୁ ଦେଶରେ କରୋନାର ବେଗ ଏବେ ଥମୁଥିବାର ଆକଳନ କରାଯାଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି। ଗତ ୨୪ ଘଣ୍ଟାରେ  ସାରା ଦେଶରେ ୨୩୪ ଜଣ କରୋନାରେ ପ୍ରାଣ ହରାଇଥିବାର ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନାରୁ ଜଣାପଡିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟଙ୍କ ସୂଚନା ଅନୁସାରେ ଦେଶରେ ଆକ୍ଟିଭ ମାମଲା ସଂଖ୍ୟା ମଧ୍ୟ କ୍ରମଶଃ ହ୍ରାସ ହେଉଛି। ସାରା ଦେଶରେ ଏବେ ଆକ୍ଟିଭ କେସ୍ ସଂଖ୍ୟା ୨ଲକ୍ଷ ୭୩ ହଜାର ୮୮୯ ବୋଲି ସୂଚିତ କରାଯାଇଛି। ଦେଶରେ ଦ୍ରୁତ କୋଭିଡ ଟିକାକରଣ କରୋନା ନିୟନ୍ତ୍ରଣରେ ପ୍ରଭାବୀ ହେଉଥିବାର ଦେଖା ଯାଇଛି। ଏପର୍ଯ୍ୟନ୍ତ ଦେଶରେ ୮୯,୭୪,୮୧,୫୫୪ ଜଣ ଲୋକଙ୍କ ଟିକାକରଣ ହୋଇସାରିଲାଣି। କେବଳ ଗତ ୨୪ ଘଣ୍ଟାରେ ୬୯,୩୩,୮୩୮ ଜଣ ନିଜର ଟିକାକରଣ କରାଇଛନ୍ତି।

ତେବେ ସବୁଠାରୁ ଯାହା ଉଲ୍ଲେଖନୀୟ ତାହା ହେଉଛି କେରଳରେ ନୂଆ ସଂକ୍ରମଣ ସଂଖ୍ୟା ହ୍ରାସ ହୋଇଛି। ଗତ ୨୪ ଘଣ୍ଟାରେ ସାରା ରାଜ୍ୟରେ ୧ ଲକ୍ଷ ୫ହଜାର ୩୬୮ଟି ନମୁନା ପରୀକ୍ଷଣ ହୋଇଥିବା ବେଳେ ଏଥିରୁ ୧୩ ହଜାର ୮୩୪ ଜଣ ପଜିଟିଭ ମିଳିଛନ୍ତି। ରାଜ୍ୟରେ ଦୈନିକ ନୂଆ ସଂକ୍ରମଣ ଚିହ୍ନଟରେ  ଏହା ଏପର୍ଯ୍ୟନ୍ତ ସବୁଠୁ କମ୍‌ ସଂଖ୍ୟା ବୋଲି କୁହାଯାଇଛି। ମୁଖ୍ୟମନ୍ତ୍ରୀ ପି.ବିଜୟନ ଏକ ବାର୍ତ୍ତାରେ କହିଛନ୍ତି ଯେ ରାଜ୍ୟର ଦୈନିକ ପଜିଟିଭିଟି ହାର ଏବେ ବି ୧୩.୧୨ ପ୍ରତିଶତ ରହିଛି।

ସେହିପରି ମହାରାଷ୍ଟ୍ରରେ ମଧ୍ୟ କରୋନା ଗ୍ରାଫ ଏବେ ତଳମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ହୋଇଥିବା ନମୁନା ପରୀକ୍ଷଣରୁ ନୂଆ ୩ହଜାର ୧୦୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଦୈନିକ ସଂକ୍ରମଣର ଏପର୍ଯ୍ୟନ୍ତ ଏହା ସର୍ବନିମ୍ନ ବୋଲି କୁହାଯାଇଛି। ଏହା ସତ୍ତ୍ୱେ କରୋନା ଲାଗି ସତର୍କତା ଅବଲମ୍ବନ ଏବେବ ମଧ୍ୟ ଜରୁରି ବୋଲି କୁହାଯାଇଛି। ମାସ୍କ ପିନ୍ଧିବା, ଦୂରତା ରକ୍ଷା କରିବା ଓ ଜନଗହଳିକୁ ନ ଯିବା ଲାଗି ବ୍ୟକ୍ତିଗତ ସ୍ତରରେ ପ୍ରଚେଷ୍ଟା ଏବେବି ଜାରି ରହିବା ଆବଶ୍ୟକ, କାରଣ ଦେଶ ପ୍ରତି ତୃତୀୟ ଲହରର ସମ୍ଭବାନା ରହିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରାଳୟ ସତର୍କ କରାଇଛନ୍ତି। 

Leave a Reply

Your email address will not be published. Required fields are marked *