ଅପରାଧଦେଶ- ବିଦେଶ

ଓକିଲ ବେଶରେ ଆସିଥିଲେ ଆକ୍ରମଣକାରୀ, ଫୁଟିଲା ୪୦ ରାଉଣ୍ଡ ଗୁଳି, ଗ୍ୟାଙ୍ଗଷ୍ଟର ସହ ୩ ମୃତ

ନୂଆଦିଲ୍ଲୀ : ଦିଲ୍ଲୀ ରୋହିଣୀ କୋର୍ଟ ପାଲଟିଲା ରଣକ୍ଷେତ୍ର। ଜୋରଦାର ଫାୟାରିଂ ଥରାଇ ଦେଲା ସମସ୍ତଙ୍କ ଛାତି। ଓକିଲଙ୍କ ବେଶରେ କୋର୍ଟରେ ପଶି ଆଖିବୁଜା ଗୁଳିମାଡ଼ କଲେ ଆକ୍ରମଣକାରୀ। ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ରୋହିଣୀ କୋର୍ଟକୁ ହାଜର ପାଇଁ ଅଣାଯାଇଥିବା ମୋଷ୍ଟ ଓ୍ବାଣ୍ଟେଡ୍‌ ଜିତେନ୍ଦ୍ର ଓରଫ ଗୋଗିକୁ ଗୁଳି କରି ହତ୍ୟା କରାଯାଇଛି। ଗୋଗି ଉପରେ ଆକ୍ରମଣ କରିଥିବା ଅପରାଧୀ କୋର୍ଟ ଭିତରକୁ ଓକିଲ ପୋଷାକରେ ପଶିଥିବା ଜଣାପଡ଼ିଛି। ଶୁକ୍ରବାର ଦ୍ବିପ୍ରହରରେ ଏହି ଗୁଳିକାଣ୍ଡ ଘଟିଥିବା ବେଳେ ଏବେ ଜାତୀୟ ରାଜଧାନୀରେ ଆତଙ୍କ ଖେଳିଯାଇଛି।

ତିହାର ଜେଲ୍‌ରେ ବନ୍ଦୀ ଥିବା ଜିତେନ୍ଦ୍ର ଓରଫ ଗୋଗିକୁ ଶୁକ୍ରବାର ରୋହିଣୀ କୋର୍ଟରେ ହାଜର ପାଇଁ ଅଣାଯାଇଥିଲା। ଗୋଗି ଦିଲ୍ଲୀର ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ଥିଲା । ଦ୍ବିପ୍ରହର​‌ରେ କୋର୍ଟ ନମ୍ବର ୨୦୬ ବାହାରେ ଗୋଗି ଉପରେ ଗୁଳିମାଡ଼ ହୋଇଥିଲା। ପୋଲିସର କହିବା ଅନୁଯାୟୀ, ଦିଲ୍ଲୀର ତାଜପୁରିଆ ଗ୍ୟାଙ୍ଗର ଅପରାଧୀମାନେ ଓକିଲ ବେଶରେ ଆସି ଜିତେନ୍ଦ୍ର ଉପରେ ଆକ୍ରମଣ କରିଥିଲେ। ଦୁଇ ଜଣ ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ଜଣେ ରାହୁଲ ରହିଛି । ଯାହା ଉପରେ ପୂର୍ବରୁ ୫୦ ହଜାର ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା।  ଓକିଲ ବେଶରେ ଆସିଥିବା ବଦମାସଙ୍କ ଉପରେ ପୋଲିସ ମଧ୍ୟ ଫାୟାରିଂ କରିଥିଲା। ଏଥିରେ ଦୁଇ ଅପରାଧୀଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏହି ସମୟରେ ଜଣେ ମହିଳା ଓକିଲ ଆହତ ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପାଖାପାଖି ୩୫-୪୦ ଗୁଳିମାଡ଼ ହୋଇଛି। ତେବେ ଗ୍ୟାଙ୍ଗଷ୍ଟର ଗୋଗିକୁ ୨୦୨୦ରେ ଗୁରୁଗ୍ରାମରୁ ଗିରଫ କରାଯାଇଥିଲା। ସେବେଠୁ ସେ ତିହାର ଜେଲ୍‌ରେ ବନ୍ଦୀ ହୋଇ ରହିଥିଲା ।

Leave a Reply

Your email address will not be published. Required fields are marked *