ଦେଶ- ବିଦେଶ

୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ଗଲେ ଆନନ୍ଦ ଗିରି

ମହନ୍ତ ନରେନ୍ଦ୍ର ଗିରିଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲାରେ ଗିରଫ ଶିଶ୍ୟ ଆନନ୍ଦ ଗିରି ଓ  ବଡେ ହନୁମାନ ମନ୍ଦିରର ପୂଜକ ଆଦ୍ୟା ତିୱାରୀ ଓ ତାଙ୍କ ପୁଅଙ୍କୁ ଗୁରୁବାର କୋର୍ଟ ୧୪ ଦିନିଆ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଅପରାହ୍ନ ପ୍ରାୟ ୩ଟା ୪୫ ମିନିଟରେ ତିନି ଅଭିଯୁକ୍ତଙ୍କୁ ପୋଲିସ ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ (ସିଜେଏମ)ଙ୍କ ଅଦାଲତରେ ଉପସ୍ଥାପିତ କରିଥିଲା। ସିଜେଏମ ହରେନ୍ଦ୍ର ନାଥ  ସେମାନଙ୍କୁ ନୈନୀ ସେଣ୍ଟ୍ରାଲ ଜେଲକୁ ପଠାଇ ଦେଇଛନ୍ତି। ଗତ ସୋମବାର ଅପରାହ୍ନରେ ବାଘମ୍ବରୀ ଗଦ୍ଦି ମହନ୍ତ ନରେନ୍ଦ୍ର ଗିରିଙ୍କ ଶବ ଅତିଥି ଗୃହରେ ଝୁଲୁଥିବାର ଦେଖା ଯାଇଥିଲା। ପୋଲିସ ପହଞ୍ଚି ଶବ ଜବତ କରିବା ସହ କକ୍ଷର ତଲାସୀ ନେବା ବେଳେ ସୁଇସାଇଡ ନୋଟ୍‌ ପାଇଥିଲା। ଏଥିରେ ମହନ୍ତ ତାଙ୍କୁ ଆତ୍ମହତ୍ୟା ଲାଗି ବିବଶ କରିବା ନିମନ୍ତେ ବଡେ ହନୁମାନ ମନ୍ଦିରର ପୂଜକ ଆଦ୍ୟା ତିୱାରୀ, ତାଙ୍କ ପୁଅ ସନ୍ଦୀପ ତିୱାରୀ ଓ ଶିଶ୍ୟ ଆନନ୍ଦ ଗିରିଙ୍କୁ ଦାୟି କରିଥିଲେ। ଯାଞ୍ଚ ପ୍ରାରମ୍ଭରେ ପୋଲିସ ପ୍ରଥମେ ଆନନ୍ଦ ଗିରିଙ୍କୁ ହରିଦ୍ୱାରରୁ ଗିରଫ କରିଥିଲା। ସେପଟେ ପୋଲିସ ସୋମବାର ରାତିରେ ଆଦ୍ୟା ତିୱାରୀ ଓ ପରେ ତାଙ୍କ ପୁଅଙ୍କୁ ମଧ୍ୟ ଗିରଫ କରିଥିଲା। ସେମାନଙ୍କୁ ପୋଲିସ ପୃଥକ ପୃଥକ ପଚରା ଉଚରା କରିବା ପରେ ବୁଧବାର ସିଜେଏମଙ୍କ କୋର୍ଟରେ ହାଜର କରିଥିଲା। ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ୧୮ ସଦସୀୟ ଏସଆଇଟିକୁ ନ୍ୟସ୍ତ କରାଯାଇଛି। ତେବେ ଆନନ୍ଦ ଗିରି ମାମଲାରେ ତାଙ୍କୁ ଫଶାଇବାକୁ ଉଦ୍ୟମ କରାଯାଉଥିବାର ଅଭିଯୋଗ କରିଥିବା ବେଳେ ମାମଲାର ତଦନ୍ତ ଦାବି କରିଛନ୍ତି।   

Leave a Reply

Your email address will not be published. Required fields are marked *