ଦେଶ- ବିଦେଶ

ମା’ କଡରେ ଶୋଇଥିଲା ଶିଶୁ, ଶେଷରେ….

କୋଲକାତା : ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରୁ ଏକ ହୃଦୟ ବିଦାରକ ମାମଲା ସାମ୍ନାକୁ ଆସିଛି। ମା’ କଡରେ ଶୋଇଥିବା ଶିଶୁ ତକିଆରେ ଚାପି ହୋଇଯିବାରୁ ନବଜାତର ମୃତ୍ୟୁ ହୋଇଛି। ରିପୋର୍ଟ ଅନୁଯାୟୀ, ୨୩ ଦିନର ନବଜାତ ଶିଶୁ ମା’ କଡରେ ଶୋଇଥିଲା। ଶିଶୁର ମୁହଁ ତକିଆରେ ଚାପି ହୋଇଯାଇଥିଲା। ଫଳରେ ଅଣନିଶ୍ୱାସୀ ହୋଇ ଶିଶୁର ଜୀବନ ଚାଲିଯାଇଛି। ପୂର୍ବ କୋଲକାତାର ପ୍ରଗତି ମୈଦାନ ଥାନା କ୍ଷେତ୍ରରେ ମାଧ୍ୟମଗ୍ରାମ ନିବାସୀ ଦିବାକର ମଣ୍ଡଳଙ୍କ ପତ୍ନୀ ଅପର୍ଣ୍ଣା ଦାସ ୨୩ ଦିନ ପୂର୍ବରୁ ଶିଶୁ କନ୍ୟା ଜନ୍ମ ଦେଇଥିଲେ। ସେ ନିଜ ମା’ଙ୍କ ଘରେ ରହୁଥିଲେ। ଘଟଣା ଶନିବାର ଦିନର। ଅପର୍ଣ୍ଣା ଅପରାହ୍ନ ଭୋଜନ କରି ଶିଶୁ ସହ ଶୋଇପଡିଲେ। ସେ ଉଠିବା ବେଳକୁ ଶିଶୁ ଆଉ ଏ ଦୁନିଆରେ ନଥିଲା।

ଝିଅ କାଳେ ଖାତାରୁ ପଡିଯିବ ସେଥିପାଇଁ ସେ ତା’ କଡରେ ଦୁଇଟି ତକିଆ ରଖି ଦେଇଥିଲେ। ଯେତେବେଳେ ଆଖି ଖୋଲିଲା ସେ ଦେଖିଲେ ଝିଅ ତକିଆ ତଳେ ଚାପି ହୋଇଯାଇଛି। ସେ ତୁରନ୍ତ ଝିଅ ମୁହଁରୁ ତକିଆ କାଢ଼ିଦେଲେ। କିନ୍ତୁ ଶିଶୁ ଟିକିଏ ବି ଏପଟ ସେପଟ ହୋଇନଥିଲା। ଏହା ଦେଖି ସେ ଛାନିଆ ହୋଇଗଲେ ଓ ପାଟି କରି ଘରଲୋକଙ୍କୁ ଡାକିଲେ। ଘରଲୋକ ଶିଶୁକୁ ତୁରନ୍ତ ହସ୍ପିଟାଲ ନେଇଯାଇଥିଲେ। କିନ୍ତୁ ଡାକ୍ତର ଶିଶୁକୁ ମୃତ ଘୋଷିତ କରିଥିଲେ। ଘଟଣା ପରେ ପରିବାରରେ ଶୋକର ଛାୟା ଖେଳି ଯାଇଛି। ସାମାନ୍ୟ ଅସାବଧାନତା ପାଇଁ ଝିଅକୁ ହରାଇ କାନ୍ଦି କାନ୍ଦି ମା’ ଅବସ୍ଥା ବେହାଲ। ପୋଲିସ ଶିଶୁର ମୃତଦେହ ବ୍ୟବଛେଦ ପାଇଁ ପଠାଇଦେଇଥିଲା। ପ୍ରଗତି ମୈଦାନ ପୋଲିସ ଅପ୍ରାକୃତିକ ମୃତ୍ୟୁ ମାମଲା ରେକର୍ଡ କରିଛି। ପୋଲିସ ଘରଲୋକଙ୍କୁ ପଚରାଉଚୁରା କରୁଛି। ପୋଲିସ ଟିମ ମଧ୍ୟ ମାମଲାକୁ ଦୁର୍ଘଟଣା ବୋଲି କହିଛି।

Leave a Reply

Your email address will not be published. Required fields are marked *