ଦେଶ- ବିଦେଶ

ପ୍ରତିଶ୍ରୁତିରୁ ଓହରିଲା ତାଲିବାନ, କେବଳ ବାଳକ ବିଦ୍ୟାଳୟ ଖୋଲିବା ଲାଗି ଆଦେଶ

କାବୁଲ : ଆଫଗାନିସ୍ତାନରେ ତାଲିବାନ ସରକାର ସପ୍ତମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ବିଦ୍ୟାଳୟ ଖୋଲିଦେବାକୁ ଶନିବାର ଆଦେଶ ଦେଇଦେଇଛନ୍ତି। ତେବେ ଏଥିରେ କେବଳ ବାଳକ ବିଦ୍ୟାଳୟ ଖୋଲିବାକୁ ଅନୁମତି ଥିବା ବେଳେ ବାଳିକା ବିଦ୍ୟାଳୟ ନେଇ କୌଣସି ସୂଚନା ଦିଆଯାଇ ନାହିଁ। ତାଲିବାନ ଦେଶର ଶାସନଡୋର ସମ୍ଭାଳିବା ବେଳେ ବାଳିକାଙ୍କୁ ଶିକ୍ଷାରୁ ବଞ୍ଚିତ କରାଯିବନି ବୋଲି ଘୋଷଣା କରିଥିଲେ। ତେବେ ସରକାର ପ୍ରତିଶ୍ରୁତିରୁ ଓହରି ଯାଇଥିବାର ସ୍ପଷ୍ଟ ହୋଇଯାଇଛି। ସରକାରଙ୍କ ନୂଆ ଆଦେଶ ଅନୁସାରେ ବାଳିକାଙ୍କୁ ମାଧ୍ୟମିକ ଶିକ୍ଷା ଲାଗି ଅନୁମତି ନାହିଁ। ମାଧ୍ୟମିକ ଓ ପରବର୍ତ୍ତି ଉଚ୍ଚଶିକ୍ଷା ନିମନ୍ତେ କେବଳ ପୁରୁଷଙ୍କୁ ଅନୁମତି ଦିଆଯାଇଛି।  ତେବେ ଦେଶରେ ତାଲିବାନଙ୍କ ଅନ୍ତରୀଣ ସରକାର ଗଠନ କାଳରେ ୧୯୯୬-୨୦୦୧ ସରକାରର ନୀତି ନୂଆ ଶାସନରେ ଦୋହରାଯିବନି ବୋଲି ଘୋଷଣା ହୋଇଥିଲା। ଏହା ସତ୍ତ୍ୱେ ମହିଳାଙ୍କୁ କାର୍ଯ୍ୟାଳୟ ପ୍ରତିବନ୍ଧିତ କରାଯାଇଥିବା ବେଳେ ସରକାରରେ ମଧ୍ୟ ସ୍ଥାନ ଦିଆଯାଇନି। ମହାବିଦ୍ୟାଳୟରେ ଯୁବକଯୁବତୀଙ୍କୁ ଏକତ୍ର ପଢିବାର ଅନୁମତି ମଧ୍ୟ ନାହିଁ। ଆଫଗାନିସ୍ତାନରେ ତାଲିବାନୀ ଶାସନରେ କେତେକ ଘରୋଇ ବିଶ୍ୱବିଦ୍ୟାଳୟ ସମେତ ଅନ୍ୟ ଉଚ୍ଚଶିକ୍ଷା ସଂସ୍ଥାନ ସବୁ ନିର୍ମିତ ହୋଇଛି। ଏହି ସବୁ ଶିକ୍ଷାଣାନୁଷ୍ଠାନ ଖୋଲିବା ପରେ ସାରା ବିଶ୍ୱରେ ତାଲିବାନଙ୍କ ଚର୍ଚ୍ଚା ଆରମ୍ଭ ହୋଇଯାଇଥିଲା। ଘରୋଇ ଶିକ୍ଷାନୁଷ୍ଠାନରେ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଏକତ୍ର ପଢିବାର ବ୍ୟବସ୍ଥା ନାହିଁ। ଏଠାରେ ଛାତ୍ରୀ ପଢୁଥିଲେ ବି ଶ୍ରେଣୀରେ ପର୍ଦ୍ଦା ଟାଣି ବାଳକବାଳିକାଙ୍କୁ ପୃଥକ ବସା ଯାଉଛି।

Leave a Reply

Your email address will not be published. Required fields are marked *