ଅପରାଧରାଜ୍ୟ

ଠିକା ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ବଡବିଲ : ଯୋଡ଼ାଠାରେ ଥିବା ଟାଟା ଷ୍ଟିଲ ପ୍ରୋଜେକ୍ଟ କ୍ୟାମ୍ପରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ପ୍ରବଳ ଉତ୍ତେଜନା । ହତ୍ୟା ଆଶଙ୍କା କଲେ ସହକର୍ମୀ ଶ୍ରମିକ । ଟାଟା ଷ୍ଟିଲ ଅଧିନରେ କାମ କରୁଥିବା ଠିକା ସଂସ୍ଥା ‘ଅନେଜା କନ୍‌ଷ୍ଟ୍ରକ୍ସନ’ର ଜଣେ ଠିକା ଶ୍ରମିକଙ୍କ ମୃତ୍ୟୁ ପରେ ଏଭଳି ପରିସ୍ଥିତି ଉପୁଜିଥିଲା । ମୃତ ଶ୍ରମିକ ଉତ୍ତର ପ୍ରଦେଶର ଅଜୟ କୁମାର ।

ଶୁକ୍ରବାର ବିଳମ୍ବିତ ରାତିରେ କ୍ୟାମ୍ପ୍‌ ପରିସରରେ ଅଜୟଙ୍କ ମୃତଦେହ ଝୁଲୁଥିବାର ଦେଖିବାକୁ ମିଳିଥିଲା । ଏନେଇ ଯୋଡ଼ା ପୋଲିସକୁ ଖବର ଦିଆଯିବା ପରେ ମୃତଦେହକୁ ସେଠାରୁ ଉଦ୍ଧାର କରି ଟାଟା ଷ୍ଟିଲ ଡାକ୍ତରଖାନାର ଶବଗୃହରେ ରଖାଯାଇଥିଲା । ତେବେ ସେମାନଙ୍କୁ ଅବଗତ ନକରି ମୃତଦେହକୁ ରାତାରାତି ବାହାରକୁ ପଠାଇ ଦିଆଗଲା, ଯାହାଫଳରେ ସହକର୍ମୀ ଶ୍ରମିକଙ୍କ ସନ୍ଦେହ ଜାତ ହୋଇଥିଲା । ଏହା ଆତ୍ମହତ୍ୟା ନୁହେଁ, ବରଂ ଅଜୟକୁ ହତ୍ୟାକରି କେହି ଟାଙ୍ଗି ଦେଇଛି ବୋଲି ସହକର୍ମୀ ଶ୍ରମିକମାନେ ଅଭିଯୋଗ କରିଛି ।

ଶନିବାର ସକାଳୁ ସମସ୍ତ ଶ୍ରମିକ କାମ ବନ୍ଦ କରି କ୍ୟାମ୍ପ ପରିସରରେ ଏକାଠି ହୋଇ ନିରପେକ୍ଷ ତଦନ୍ତ ଦାବି କରିବା ସହ ମୃତକର ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ତେବେ ଯୋଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଶ୍ରମିକଙ୍କୁ ବହୁ ବୁଝାସୁଝା ପରେ ସ୍ଥିତି ସାମାନ୍ୟ ହୋଇଥିଲା । ପରିବାର ଲୋକେ ପହଞ୍ଚିବା ପରେ ମୃତଦେହ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ ସୂଚନା ଦେଇଛି । ଏନେଇ ସଂପୃକ୍ତ ଠିକା କମ୍ପାନୀ କିମ୍ବା ଟାଟା କମ୍ପାନୀ କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

Leave a Reply

Your email address will not be published. Required fields are marked *