ରାଜ୍ୟ

ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର

ବଡବିଲ : ଘର ଭିତରୁ ଗର୍ଭବତୀ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା ସନ୍ଦେହରେ ସ୍ଵାମୀଙ୍କୁ ଥାନାରେ ଅଟକ ରଖିଛି ପୋଲିସ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତ ବିଲେଇପଦା ରୂପା ସାହିରେ ।  ସୂଚନାଯୋଗ୍ୟ ଯେ, ଗୁରୁବାର ସେହି ଗ୍ରାମର ସୁରୁ କାରୁଆଙ୍କ ଘର ଭିତରୁ ଦୁର୍ଗନ୍ଧ ବାହାରିବାରୁ ଗ୍ରାମବାସୀଙ୍କ ସନ୍ଦେହ ହୋଇଥିଲା । ଏନେଇ ସେମାନେ ଯୋଡ଼ା ପୋଲିସକୁ ସୂଚନା ଦେଇଥିଲେ । ଯୋଡ଼ା ପୋଲିସ ସେଠାରେ ପହଞ୍ଚିବା ପରେ ଜଣାପଡ଼ିଥିଲା ଯେ, ଘର ଭିତରେ ସୁରୁ କାରୁଆଙ୍କ ବୋହୂ ସୁନୀତା କାରୁଆଙ୍କ ମୃତଦେହ ପଡ଼ି ରହିଛି ଏବଂ ସେଥିରୁ ପ୍ରବଳ ଦୁର୍ଗନ୍ଧ ବାହାରୁଛି ।

୩ରୁ ୪ଦିନ ପୂର୍ବେ ସୁନୀତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରୁଛି ପୋଲିସ । ଶୁକ୍ରବାର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ମୃତକର ସ୍ଵାମୀ ସୁରେନ୍‌ କାରୁଆକୁ ଥାନାରେ ଅଟକ ରଖି ପଚରା ଉଚୁରା ଚଳାଇଛି ପୋଲିସ । ତେବେ କେଉଁ ପରିସ୍ଥିତିରେ ସୁନୀତାଙ୍କର ମୃତ୍ୟୁ ଘଟିଲା ଏବଂ ଏହା ହତ୍ୟାକାଣ୍ଡ ନା ଆଉ କିଛି କାରଣ ରହିଛି ସେନେଇ ଖୋଳତାଡ଼ ଚଳାଇଛି ପୋଲିସ୍ । ସୁରେନଙ୍କ ପ୍ରଥମ ପତ୍ନୀଙ୍କ ମୃତ୍ୟୁ ପରେ ସେ ସୁନୀତାଙ୍କୁ ବିବାହ କରିଥିଲେ । ସେ ତାଙ୍କ ବାପା ଓ ପତ୍ନୀଙ୍କ ସହ ଏହି ଘରେ ରହି ଆସୁଥିଲେ । ସେପଟେ ବାପା ସୁରୁଙ୍କ କହିବା ଅନୁଯାୟୀ, ପୁଅ-ବୋହୂ ଅଧିକାଂଶ ସମୟରେ ମଦ୍ୟପାନ କରି ମାଡ଼ପିଟ ହୁଅନ୍ତି । ତେବେ ସୁନୀତାଙ୍କ ମୃତ୍ୟୁ କିପରି ଘଟିଲା ତାହା ସେ ଜାଣିନାହାନ୍ତି ବୋଲି କହିଛନ୍ତି । ସେପଟେ ପୋଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହୋଇପାରିବ ବୋଲି କହିଛି ପୋଲିସ ।

Leave a Reply

Your email address will not be published. Required fields are marked *