ଦେଶ- ବିଦେଶ

ଜୀଅନ୍ତା ଜଳିଗଲେ ୫ ଜଣ, ଶବ ଚିହ୍ନିବା ବି ମୁସ୍କିଲ୍‌

ରାମଗଡ : ଝାଡ଼ଖଣ୍ଡର ରାମଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନେଇ ଖବର ମିଳିଛି। ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ରଜ୍ଜରପା ଥାନା ଅନ୍ତର୍ଗତ ଗୋଲା-ରାମଗଡ଼ ରାସ୍ତାରେ ଏହି ଭୀଷଣ ଦୁର୍ଘଟଣା ହୋଇଥିବା ରାମଗଡ ଏସପି ପ୍ରଭାତ କୁମାର କହିଛନ୍ତି । ମିଳିଥିବା ସୂଚନା ଅନୁସାରେ, ଗୋଟିଏ କାରକୁ ଏକ ବସ୍‌ ସାମ୍ନାପଟୁ ଧକ୍କା ଦେବା ସହ କାର ଉପରେ ଚଢ଼ିଯାଇଥିଲା। ଏହା ପରେ କାରରେ ଥିବା ୫ ଜଣ ବାହାରକୁ ବାହାରି ପାରିନଥିଲେ ।

ଏହା ପରେ କାରଟି ହଠାତ ଜଳିଯାଇଥିଲା । ଏଥିରେ ଥିବା ଜଣେ ବାଳକ ଏବଂ ଦୁଇ ମହିଳାଙ୍କ ସହ ସମସ୍ତ ୫ ଲୋକ ଜୀଅନ୍ତା ଜଳିଯାଇଥିଲେ। ବୁଧବାର ସକାଳ ୮ଟାରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶବ ଚିହ୍ନଟ ମୁସ୍କିଲ ହୋଇପଡ଼ିଛି। ମୃତଦେହଗୁଡ଼ିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ସେମାନଙ୍କ ପରିବାରବର୍ଗଙ୍କୁ ଦୁର୍ଘଟଣା ସମ୍ପର୍କରେ ସୂଚନା ଦେବାକୁ ପୋଲିସ ପ୍ରଚେଷ୍ଟା ଜରି ରଖିଥିବା କହିଛନ୍ତି ଏସପି । ରାମଗଡ ଏସପିଙ୍କ ଅନୁସାରେ, କାରଟି ପାଟନାର ଆଲୋକ ରୋଶନଙ୍କ ନାଁ ପଞ୍ଜିକୃତ ହୋଇଛି।

ଏସପି ପ୍ରଭାତ କୁମାର କହିଛନ୍ତି, ଅନ୍ୟ ଏକ ଦୁର୍ଘଟଣା କୁଜ୍ଜୁ ଘାଟିରେ ହୋଇଛି । ବିହାରର ଶେଖପୁରାରୁ ୫ ଜଣ ରଜରପ୍ପା ସ୍ଥିତ ଛିତ୍ରମସ୍ତକା ମନ୍ଦିର ଦର୍ଶନ ପାଇଁ ଏକ କାରରେ ଆସୁଥିଲେ। ସକାଳ ସାଢ଼େ ଆଠଟା ବେଳେ ଦ୍ରୁତ ଗତି ଯୋଗୁ ନିୟନ୍ତ୍ରଣ ହରାଇ କାରଟି ରାସ୍ତା ପାର୍ଶ୍ବରେ ଥିବା ଡିଭାଇଡରରେ ପିଟି ହୋଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ଯୋଗୁଁ କାରରେ ଥିବା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇଛନ୍ତି ।

Leave a Reply

Your email address will not be published. Required fields are marked *