ଦେଶ- ବିଦେଶ

ଆର୍ଥିକ ପତନର ଦ୍ଵାର ଦେଶରେ ଆଫଗାନିସ୍ତାନ

କାବୁଲ : କାବୁଲ ଅକ୍ତିକାର କରିବାର ପ୍ରାୟ ଏକ ମାସ ପରେ ତାଲିବାନ ସାଙ୍ଘାତିକ ଆର୍ଥିକ ସମସ୍ୟାର ସାମ୍ନା କରୁଛି। ଦେଶରେ ମରୁଡି ଏବଂ ବିପର୍ଯ୍ୟସ୍ତ ଆର୍ଥିକ ବ୍ୟବସ୍ଥା କାରଣରୁ ଚଳିତ ମାସ ଶେଷ ସୁଦ୍ଧା ୧.୪ କୋଟି ଲୋକ ଅନାହାରର ଦ୍ଵାର ଦେଶରେ ପହଞ୍ଚି ପାରନ୍ତି। ଅନ୍ୟପଟେ ବିଶ୍ଵ ସମୁଦାୟ ଦୈନିକ ଟଙ୍କା ଉଠାଣ ସୀମିତ କରିବା ଏବଂ ଆକାଉଣ୍ଟ ଫ୍ରିଜ୍ କରିବା କାରଣରୁ ତାଲିବାନ ନିକଟକୁ ଟଙ୍କା ପହଞ୍ଚି ପାରି ନାହିଁ। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଅଧିକାଂଶ ତାଲିବାନୀ ଟଙ୍କା ପାଇ ପାରି ନାହାନ୍ତି।

ସେପଟେ ଅଧିକାଂଶ ଦେଶ ତାଲିବାନ ଶାସନକୁ ମାନ୍ୟତା ଦେବାକୁ ମନା କରି ଦେଇଛନ୍ତି। ତାଲିବାନ ଆନୁଷ୍ଠାନିକ ଭାବେ ନିଜ ଦେଶକୁ ଇସଲାମିକ ଏମିରାଟ୍ସ ଅଫ ଆଫଗାନିସ୍ତାନ କହୁଛି। ଏହି କାରଣରୁ ବିଭିନ୍ନ ଦେଶ ତାଲିବାନକୁ ଆର୍ଥିକ ସହାୟତା ଦେବାକୁ ପ୍ରସ୍ତୁତ ନାହାନ୍ତି।

ତାଲିବାନ ଆଫଗାନିସ୍ତାନକୁ ନିଜ ଅକ୍ତିକାରକୁ ଆଣିବା ପରେ ବିଦେଶରୁ ସହାୟତା ମିଳିବା ବନ୍ଦ ହୋଇ ଯାଇଛ ଏବଂ ଅନ୍ତର୍ଜାତୀୟ ମୁଦ୍ରା କୋଷ ଏବଂ ବିଶ୍ଵ ବ୍ୟାଙ୍କ ମଧ୍ୟ ଲୋନ ଦେବା ବନ୍ଦ କରି ଦେଇଛି। ମିଳିତ ଜାତିସଂଘ ମଧ୍ୟ ୯.୪ ବିଲିୟନ ଡଲାରର ଅର୍ଥ ରାଶିକୁ ରୋକି ଦେଇଛି। କେବଳ ଏତିକି ନୁହେଁ ଫାଇନାନସିଆଲ ଆକ୍ସନ ଟାକ୍ସ ଫୋର୍ସ(ଏଫଏଟିଏଫ) ମଧ୍ୟ ନିଜର ସଦସ୍ୟ ୩୯ ଦେଶଗୁଡିକୁ ତାଲିବାନକୁ କୌଣସି ପ୍ରକାରର ଆର୍ଥିକ ସହାୟତ ଦେବା ବନ୍ଦ କରିବାକୁ କହିଛି।

ଏମିତି ସ୍ଥିତିରେ ଆଫଗାନିସ୍ତାନର ଅର୍ଥବ୍ୟବସ୍ଥା ସଙ୍କଟଜନକ ସ୍ଥିତି ଦେଇ ଗତି କରୁଛି। ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଚଳିତ ସପ୍ତାହ ସୁଦ୍ଧା ଦେଶର ୯୭ ପ୍ରତିଶତ ଆଫଗାନୀ ଦାରିଦ୍ର୍ୟ ରେଖା ସୀମା ତଳକୁ ଚାଲିଯିବାର ସମ୍ଭାବନା ରହିଛି। ନ୍ୟୁୟର୍କ ପୋଷ୍ଟର ରିପୋର୍ଟ ଅନୁଯାୟୀ, ଦେଶର ଅନେକ ସହରରେ ତାଲିବାନୀ ଗଣ୍ଡେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ସେମାନଙ୍କୁ ଟ୍ରକରେ ରାତି  ବିତାଇବାକୁ ପଡୁଛି। ସେମାନଙ୍କୁ ରହିବାଯୋଗ୍ୟ ଏବଂ ଭଲ କି ଖାଇବା ମଧ୍ୟ ମିଳୁନାହିଁ। ନ୍ୟୁୟର୍କ ପୋଷ୍ଟ ନିଜ ରିପୋର୍ଟରେ ଦାବି କରିଛି ଯେ, ସ୍ଥାନୀୟ  ଲୋକେ ହିଁ ତାଲିବାନ ସଦସ୍ୟଙ୍କୁ ଖାଦ୍ୟ ଯୋଗାଇ ଦେଉଛନ୍ତି। ଦେଶରେ ଶେଷ ହେଉଥିବା ଟଙ୍କାକୁ ବଞ୍ଚାଇ ରଖିବା ପାଇଁ ଗୋଟିଏ ସପ୍ତାହରେ ୨୦୦ ଡଲାରରୁ ଅଧିକ ଟଙ୍କା ଉଠାଣ ଉପରେ କଟକଣା ଲଗାଯାଇଛି।  କେବଳ ଏତିକି ନୁହେଁ ଲୋକଙ୍କୁ ନଗଦ ଟଙ୍କା ପାଇବା ପାଇଁ ଧାଡିରେ ରହିବାକୁ ପଡୁଛି। ତାଲିବାନ ଶାସନ ପରେ ଅନେକ ବ୍ୟାଙ୍କ ବନ୍ଦ କରି ଦିଆଯାଇଛି ଏବଂ ଯାହା କିଛି ଖୋଲା ରହିଛି, ସେମାନଙ୍କ ପାଖରେ ସୀମିତ ନଗଦ ଅର୍ଥ ରାଶି ରହିଛି।

Leave a Reply

Your email address will not be published. Required fields are marked *