ଦେଶ- ବିଦେଶ

ଦାରିଦ୍ର‌୍ୟ ଓ ଖାଦ୍ୟାଭାବର ଦ୍ୱାରଦେଶରେ ଆଫଗାନିସ୍ତାନ

ଜେନିଭା: ଆଗାମୀ କିଛିଦିନ ମଧ୍ୟରେ ଆଫଗାନିସ୍ତାନ ଏକ ଭୟଙ୍କର ସଙ୍କଟର ସାମ୍ନା କରିବାକୁ ଯାଉଛି । ଦେଶରେ ଉତ୍କଟ ଖାଦ୍ୟାଭାବ ଦେଖାଯିବ । ସାଧାରଣ ଲୋକ ଅର୍ଥ ତଥା ଖାଦ୍ୟର ଅଭାବରେ ଡହଳବିକଳ ହେବେ । ଆଫଗାନିସ୍ତାନର ସାମାଜିକ ଅବସ୍ଥା ଧ୍ୱଂସବିଧ୍ୱଂସ ହୋଇଯିବ ବୋଲି ସଂଯୁକ୍ତରାଷ୍ଟ୍ର ଚେତାବନୀ ଦେଇଛି । ଯଦି ଉଚିତ୍ ସମୟରେ ଆଫଗାନିସ୍ତାନକୁ ଆର୍ଥିକ ସହାୟତା ଯୋଗାଇ ଦିଆନଯାଏ, ତା’ହେଲେ ଆଫଗାନ ନାଗରିକ ଦାରିଦ୍ର‌୍ୟ ଓ କ୍ଷୁଧାର ଜୀବନ ବଞ୍ଚିବାକୁ ବାଧ୍ୟ ହେବେ । ସଂଯୁକ୍ତରାଷ୍ଟ୍ର ବିକାଶ କାର୍ଯ୍ୟକ୍ରମ ( ୟୁଏନ୍‌ଡିପି)ର ରିପୋର୍ଟ ଅନୁସାରେ ଦେଶରେ ରାଜନୈତିକ ଓ ଆର୍ଥିକ ପରିସ୍ଥିତି ପରିବର୍ତ୍ତନ ହେବାକୁ ଅନେକ ସମୟ ଲାଗିବ । ସେତେବେଳକୁ ଆଫଗାନିସ୍ତାନର ନାଗରିକ ଭୟଙ୍କର ଦାରିଦ୍ର‌୍ୟ ଆଡ଼କୁ ଯାଇସାରିଥିବେ । ବର୍ତ୍ତମାନ ଦାରିଦ୍ର‌୍ୟ ହାର ୭୨% ରହିଛି ।

ଯାହା ଆଗାମୀ ସମୟରେ ୯୭-୯୮% ପର୍ଯ୍ୟନ୍ତ ପହଞ୍ଚିଯିବାର ସମ୍ଭାବନା ରହିଛି । ଦେଶର ମହିଳା ତଥା କନ୍ୟାମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ସହିତ ଗରିବ ଲୋକଙ୍କୁ ଏହି ବିକଟ ପରିସ୍ଥିିତିରୁ ବାହାର କରିବା ପାଇଁ ତୁରନ୍ତ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବାକୁ ସଂଯୁକ୍ତରାଷ୍ଟ୍ରର ସହାୟକ ମହାସଚିବ କନ୍ନୀ ବିଗ୍ନାରାଜା କହିଛନ୍ତି । ଆଫଗାନିସ୍ତାନର ନିର୍ଦ୍ଦୋଷ ନାଗରିକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ସଂଯୁକ୍ତରାଷ୍ଟ୍ରର ବିଶେଷ ଦୂତ ଡେବରାହ ଲିୟୋନ୍ସ ଏହି ଚେତାବନୀ ଦେଇଛନ୍ତି । ଏହାବ୍ୟତୀତ ସେ ସମଗ୍ର ବିଶ୍ୱକୁ ଆଫଗାନିସ୍ତାନକୁ ଧ୍ୱଂସ ହେବା ପୂର୍ବରୁ ବଞ୍ଚାଇବାକୁ ନିବେଦନ କରିଛନ୍ତି । ସମ୍ପ୍ରତି ଆଫଗାନିସ୍ତାନରେ ମାନବାଧିକାର ସଙ୍କଟ ଗମ୍ଭୀର ଅବସ୍ଥାରେ ଅଛି ।

ଠିକ୍ ସମୟରେ ଏହାର ଉପଚାର କରାନଗଲେ ଆଗାମୀ ସମୟରେ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିପାରେ । ଆଫଗାନିସ୍ତାନର ଅରବ ଡଲାର ସମ୍ପତିକୁ ଫ୍ରିଜ୍ କରାଯିବା ଯୋଗୁଁ ଏହି ସ୍ଥିତି ସୃଷ୍ଟି ହୋଇଛି । ଯଥାଶୀଘ୍ର ଆଫଗାନିସ୍ତାନକୁ ସହାୟତା ଦିଆନଗଲେ ଦେଶର ଆର୍ଥିକ ଢାଞ୍ଚା ନଷ୍ଟ ହୋଇଯିବ ଓ ଆଫଗାନିସ୍ତାନ ଶତାବ୍ଦୀ ପଛକୁ ଚାଲିଯିବ । ମୁଦ୍ରାର ଅବମୂଲ୍ୟ, ଖାଦ୍ୟର ଅଭାବ, ବ୍ୟାଙ୍କ୍‌ରେ ନଗଦର ଅଭାବ, ଖାଦ୍ୟ ତଥା ଇନ୍ଧନର ଦର ବୃଦ୍ଧିି ଆଦି ଅନେକ ସମସ୍ୟାରେ ରହିଛି ଆଫଗାନିସ୍ତାନ । ଦେଶର ୭୨% ଲୋକ ଦୈନିକ ୧ ଡଲାର୍ ଖର୍ଚ୍ଚ କରିବାରେ ସକ୍ଷମ ହେଉଛନ୍ତି । ସେ ଆଫଗାନିସ୍ତାନର ଅର୍ଥ ବ୍ୟବସ୍ଥାକୁ ଆଉ କିଛିମାସ ପରିଚାଳନା କରିବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି । ଅପରପକ୍ଷରେ ସେ ତାଲିବାନକୁ ଆଉ ଏକ ସୁଯୋଗ ଦେବାକୁ ନିବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *