ଖେଳଦେଶ- ବିଦେଶ

ଧୋନିଙ୍କ ବିରୋଧରେ ସ୍ୱାର୍ଥନିହିତ ଦ୍ୱନ୍ଦ୍ୱ ଅଭିଯୋଗ

ନୂଆଦିଲ୍ଲୀ: ଆଗାମୀ ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଇଣ୍ଡିଆର ମେଣ୍ଟର୍ ଭାବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନିଯୁକ୍ତି ବିରୋଧରେ ଗୁରୁବାର ବିସିସିଆଇ ଆପେକ୍ସ କାଉନ୍‌ସିଲ୍‌କୁ ଏକ ଅଭିଯୋଗ ମିଳିଛି । ଏହି ନିଯୁକ୍ତି ଲୋଧା କମିଟି ସୁପାରିସ ଅନୁସାରେ ସ୍ୱାର୍ଥନିହିତ ଦ୍ୱନ୍ଦ୍ୱ ବା କନ୍‌ଫ୍ଲିକ୍ଟ ଅଫ୍ ଇଣ୍ଟରେଷ୍ଟ ନିୟମର ଉଲ୍ଲଂଘନ କରୁଛି ବୋଲି ଏହି ଅଭିଯୋଗରେ ଦର୍ଶାଯାଇଛି । ମଧ୍ୟପ୍ରଦେଶ କ୍ରିକେଟ୍ ସଂଘ (ଏମ୍‌ପିସିଏ)ର ପୂର୍ବତନ ଆଜୀବନ ସଦସ୍ୟ ସଞ୍ଜୀବ ଗୁପ୍ତା ଶୀର୍ଷ କାଉନ୍‌ସିଲ୍‌କୁ ପତ୍ର ଲେଖି ଧୋନିଙ୍କ ନିଯୁକ୍ତିରେ ଏପରି ସମସ୍ୟା ରହିଥିବା କହିଛନ୍ତି । ଏହି ନିୟମ ଅନୁସାରେ, ଜଣେ ବ୍ୟକ୍ତି ଏକକାଳୀନ ଦୁଇଟି ଦାୟିତ୍ୱରେ ରହିପାରିବେ ନାହିଁ ।

ଧୋନି ଆଇପିଏଲ୍ ଫ୍ରାଞ୍ଚାଇଜି ଚେନ୍ନାଇ ସୁପର୍ କିଙ୍ଗ୍‌ସର ଅଧିନାୟକ ରହିଛନ୍ତି । ଆପେକ୍ସ କାଉନ୍‌ସିଲ୍ ସଦସ୍ୟଙ୍କ ସମେତ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଓ ସମ୍ପାଦକ ଜୟ ଶାହଙ୍କୁ ମଧ୍ୟ ଗୁପ୍ତା ପତ୍ର ଲେଖିଥିବା ସମ୍ପର୍କରେ ବୋର୍ଡର ଜନୈକ ଅଧିକାରୀ ସ୍ପଷ୍ଟ କରିଛନ୍ତି । ଏଥିରେ ସେ ଦର୍ଶାଇଛନ୍ତି ଯେ ବିସିସିଆଇ ସମ୍ବିଧାନର ଧାରା ୩୮ (୪) ଅନୁସାରେ ଜଣେ ବ୍ୟକ୍ତି ଏକକାଳୀନ ଦୁଇଟି ଭିନ୍ନ ଭିନ୍ନ ପଦରେ ରହିପାରିବେ ନାହିଁ ।

ଆପେକ୍ସ କାଉନ୍‌ସିଲ୍‌କୁ ଏହାର ପ୍ରଭାବ ଯାଞ୍ଚ୍ କରିବା ନିମନ୍ତେ ନିଜର ଲିଗାଲ୍ ଟିମ୍ ସହ ପରାମର୍ଶ କରିବାକୁ ପଡ଼ିବ । ଗୋଟିଏ ଟିମ୍‌ର ଖେଳାଳି ଅନ୍ୟ ଏକ ଟିମ୍‌ର ମେଣ୍ଟର୍ କିପରି ହୋଇପାରିବେ, ତାକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସ୍ପଷ୍ଟତା ଜରୁରୀ । ସୂଚନାଯୋଗ୍ୟ ଯେ ଗତ ବୁଧବାର ଆଗାମୀ ଟି-୨୦ ବିଶ୍ୱକପ୍ ପାଇଁ ଟିମ୍ ଘୋଷଣା ବେଳେ ବିସିସିଆଇ ସମ୍ପାଦକ ଜୟ ଶାହ ଧୋନିଙ୍କୁ ଟିମ୍‌ର ମେଣ୍ଟର୍ ଭାବେ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *