ରାଜନୀତିରାଜ୍ୟ

କମ୍ପୁଛି ପିପିଲି-ଡେଲାଙ୍ଗ: ବୁଲିଲେଣି ରୁଦ୍ରପ୍ରତାପ, ଆଜିଠୁ ଆଶ୍ରିତଙ୍କ ପ୍ରଚାର

ଭୁବନେଶ୍ୱର : ପୁରୀ ଜିଲ୍ଲା ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ପ୍ରଚାର ଜୋର ଧରିଛି। ଏହି ଆସନକୁ ୨୦୦୦ ମସିହାରୁ ନିଜ ପାଖରେ ରଖିଥିଲେ ମଧ୍ୟ ବିଜେଡି ନିର୍ବାଚନକୁ ହାଲୁକା ଭାବେ ନେଉନାହିଁ। ପଞ୍ଚାୟତୱାରୀ ଦାୟିତ୍ୱ ବଣ୍ଟନ ପରେ ମଧ୍ୟ ଏକାଧିକ ବରିଷ୍ଠ ନେତାଙ୍କୁ ସାମଗ୍ରିକ ନିର୍ବାଚନ ପରିଚାଳନା ଦାୟିତ୍ୱ ଦିଆଯାଇଛି। ଏହି କ୍ରମରେ ଗୁରୁବାର ପିପିଲି ନିର୍ବାଚନମଣ୍ଡଳୀର ବିଭିନ୍ନ କ୍ଷେତ୍ରୱାରୀ ଦାୟିତ୍ୱ ବଣ୍ଟନ କରାଯାଇଛି।

ବିଜେଡି ସାଧାରଣ ସମ୍ପାଦକ (ଗଣମାଧ୍ୟମ ବ୍ୟାପାର) ମାନସ ରଞ୍ଜନ ମଙ୍ଗରାଜଙ୍କ ସୂଚନା ଅନୁସାରେ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ବରିଷ୍ଠ ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ ପିପିଲି ବ୍ଲକ ଦାୟିତ୍ୱରେ ରହିବେ। ଡେଲାଙ୍ଗ ବ୍ଲକ ଦାୟିତ୍ୱରେ ଥିବା ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ସହଯୋଗ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ଜଟଣୀର ପୂର୍ବତନ ବିଧାୟକ ବିଭୂତି ବଳବନ୍ତରାୟଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ପିପିଲି ପୌରାଞ୍ଚଳ ପାଇଁ ଢେଙ୍କାନାଳ ବିଧାୟକ ସୁଧିର ସାମଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ୪ ପ୍ରମୁଖ ନେତାଙ୍କୁ ନିର୍ବାଚନ ପରିଚାଳନା ଦାୟିତ୍ୱ ମିଳିଥିଲା। ପିପିଲି ଉପନିର୍ବାଚନ ପର୍ଯ୍ୟବେକ୍ଷକ ପ୍ରତାପ ଦେବ, ପୁରୀ ଜିଲ୍ଲା ବିଜେଡି ସଭାପତି ମହେଶ୍ୱର ମହାନ୍ତି, ବିଜେଡି ସାଧାରଣ ସମ୍ପାଦକ(ମୁଖ୍ୟାଳୟ) ସଞ୍ଜୟ ଦାସବର୍ମା ଏବଂ ବରିଷ୍ଠ ବିଜେଡି ବିଧାୟକ ଦେବୀ ପ୍ରସାଦ ମିଶ୍ର ନିର୍ବାଚନର ସାମଗ୍ରିକ ପରିଚାଳନା କରିବେ ବୋଲି କୁହାଯାଇଥିଲା। ୨୦୧୯ ସାଧାରଣ ନିର୍ବାଚନର ବିଜୟ ବ୍ୟବଧାନକୁ ଦ୍ୱିଗୁଣିତ କରିବା ଉପରେ ବିଜେଡି ଧ୍ୟାନକୈନ୍ଦ୍ରିତ କରିଛି। ଡେଲାଙ୍ଗ ବ୍ଲକରେ ଭୋଟ ପରିମାଣ ବୃଦ୍ଧି ସହ ପିପିଲି ପୌରାଞ୍ଚଳ ଏବଂ ବ୍ଲକର ବଡ଼ ଧରଣର ଅଗ୍ରଣୀ ଲକ୍ଷ୍ୟ ରଖିଛି। ଗତ ନିର୍ବାଚନରେ କୌଣସି କାରଣରୁ ଦଳରୁ ଦୂରେଇ ଯାଇଥିବା ସକ୍ରିୟ ସଙ୍ଗଠକମାନଙ୍କୁ ପୁଣି ବିଜେଡି ଫେରାଇ ଆଣିବାକୁ ଟାର୍ଗେଟ ରହିଛି। ପିପିଲି ନିର୍ବାଚନ ମଣ୍ଡଳୀର ୧୮ରୁ ୩୫ ବର୍ଷ ବୟସ ମଧ୍ୟରେ ଯୁବ ସମାଜର ସିଂହଭାଗ ଭୋଟ ଉପରେ ବିଜେଡି ନଜର ରଖିଛି। ରୁଦ୍ର ମହାରଥୀ ଜଣେ ଯୁବ ପ୍ରାର୍ଥୀ ହୋଇଥିବାରୁ ଏହି ଭୋଟର ପରିମାଣ ବୃଦ୍ଧି ପାଇବ ବୋଲି ଦଳ ପକ୍ଷରୁ ଆଶା କରାଯାଉଛି। ପ୍ରଚାର ଦ୍ୱିତୀୟ ଦିନରେ ରୁଦ୍ର ମୁନିଦା, କଲ୍ୟାଣପୁର, ଧାନକରା, ଅଭୟମୁଖୀ, ଶ୍ରୀପୁରୁଷୋତ୍ତମପୁର, ଜେନାପୁର ଏବଂ ରେଞ୍ଚ ଅଞ୍ଚଳ ଗସ୍ତ କରିଥିଲେ।

Leave a Reply

Your email address will not be published. Required fields are marked *