ଦେଶ- ବିଦେଶ

ବିଳମ୍ବ ହେବ ପିଲାଙ୍କ ଟିକାକରଣ

ନୂଆଦିଲ୍ଲୀ   : ପିଲାଙ୍କୁ କରୋନା ଠାରୁ ଦୂରେଇ ରଖିବା ପାଇଁ ପ୍ରସ୍ତୁତ ହେଉଥିବା ଟିକାକରଣ ବିଳମ୍ବ ହୋଇପାରେ । ଗୁଜରାଟ ସ୍ଥିତ ଫାର୍ମାସ୍ୟୁଟିକାଲ୍ସ କମ୍ପାନୀ ଜାଇଡସ କାଡିଲା ଶିଶୁଙ୍କ ପାଇଁ ତିଆରି କରିଥିବା କରୋନା ଟିକା ଜାୟକୋବ-ଡିକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ମିଳିବାକୁ ଆଉ କିଛି ଦିନ ସମୟ ଲାଗିପାରେ ବୋଲି କହିଛି । ଜାଇଡସ କାଡିଲା ଜୁଲାଇ ୧ରେ ନିଜ କୋଭିଡ- ୧୯ ଟିକାର ଜରୁରୀକାଳୀନ ଉପଯୋଗ ପାଇଁ ଭାରତର ଔଷଧି ମହାନିୟନ୍ତ୍ରକ ଡିସିଜିଆଇଠୁ ମଞ୍ଜୁରୀ ମାଗିଥିଲା । କମ୍ପାନୀ ଅନୁଯାୟୀ, କମ୍ପାନୀ ଭାରତରେ ଏବେ ସୁଦ୍ଧା ୫୦ ରୁ ଅଧିକ କେନ୍ଦ୍ରରେ ୨୮ ହଜାରରୁ ଅଧିକ ସ୍ୱଚ୍ଛାସେବୀଙ୍କ ଉପରେ ଟିକାର କ୍ଲିନିକାଲ ଟ୍ରାଏଲ କରିଛି । ଅନ୍ତରୀଣ ଡାଟାରେ ଟିକା ସୁରକ୍ଷିତ ବୋଲି ଜଣାପଡ଼ିଛି। ଜାଇଡସ କାଡିଲା ପ୍ରତି ବର୍ଷ ନିଜ ଭ୍ୟାକସିନର ୧୨ କୋଟି ଡୋଜ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି । ମଞ୍ଜୁରୀ ମିଳିଲେ ଏହା କରୋନା ଭାଇରସ ରୋକିବାକୁ ଦୁନିଆର ପ୍ରଥମ ଡିଏନଏ ଆଧାରିତ ଟିକା ଏବଂ ଦେଶରେ ଉପଲବ୍ଧ ପଞ୍ଚମ ଟିକା ହେବ । ଜାୟକୋବ-ଡି ୩ ଡୋଜ ବିଶିଷ୍ଟ ଭ୍ୟାକସିନ ଏବଂ ନିଶ୍ଚିତ ଅନ୍ତରାଳ ମଧ୍ୟରେ ଏହି ୩ଟି ଡୋଜ ଦିଆଯିବ । ପ୍ରଥମ ଡୋଜର ୨୮ ଦିନରେ ଦ୍ୱିତୀୟ ଡୋଜ ଓ ୫୬ ଦିନରେ ତୃତୀୟ ଡୋଜ ଦିଆଯିବ ।

Leave a Reply

Your email address will not be published. Required fields are marked *