ରାଜ୍ୟ

ରଥଯାତ୍ରା ପୂର୍ବରୁ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମୀକ୍ଷା

ଭୁବନେଶ୍ୱର : ଆଉ ମାତ୍ର ଗୋଟିଏ ଦିନ ବାକି। ଦ୍ଵାଦଶ ଯାତ୍ରା ମଧ୍ୟରୁ ଶ୍ରେଷ୍ଠ ଯାତ୍ରା ରଥଯାତ୍ରା ପାଇଁ ସବୁକିଛି ପ୍ରସ୍ତୁତ। ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ରଥାରୂଢ ହୋଇ ଆଡପମଣ୍ଡପକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ଶୃଙ୍ଖଳିତ ରଥଯାତ୍ରା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ରହିବ ଶ୍ରୀକ୍ଷେତ୍ର।ମୁତୟନ ହେବେ ୬୫ପ୍ଲାଟୁନ ଫୋର୍ସ। ସେପଟେ ସୁରକ୍ଷା ବ୍ୟବସ୍ଥା ପାଇଁ ଅତରିକ୍ତ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଅଧକ୍ଷତାରେ ଆଜି ବରିଷ୍ଠ ପୋଲିସ ପଦାଧିକାରୀଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଛି । ତିନିରଥର କନାପଡିବା କାର୍ଯ୍ୟ କୋଠସୁଆଁସିଆ ସେବକ ମାନେ ଆରମ୍ଭ କରିଛନ୍ତି। ଅନ୍ୟପଟେ ମଳ ଉଭା ପାଇଁ ଆଜି ନବଯୌବନ ଦର୍ଶନର ହେଉଛି ଦ୍ଵିତୀୟ ଦିନ।

ରଥ ପ୍ରସ୍ତୁତ ପଥ ମଧ୍ୟ ପ୍ରସ୍ତୁତ। ଅପେକ୍ଷା କେବଳ ମହାବାହୁଙ୍କ ଆଗମନକୁ। ରତ୍ନବେଦୀ ଛାଡି ନବଦିନାତ୍ମକ ଯାତ୍ରାରେ ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାବିଗ୍ରହ। ଆଉ ଗୋଟିଏ ଦିନ ପରେ ହେଉଥିବା ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଆଇନଶୃଙ୍ଖଳା ଅତିରିକ୍ତ ଡ଼ିଜିଙ୍କ ନେତୃତ୍ୱରେ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନେଇ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ପୋଲିସ ବିଭାଗର ଶେଷ ସମୀକ୍ଷା ବୈଠକ କରାଯାଇଛି। ଏଡିଜି ଆର କେ ଶର୍ମାଙ୍କ ଅଧ୍ଯକ୍ଷତାରେ ହୋଇଥିବା ସମୀକ୍ଷା ବୈଠକରେ ରଥଯାତ୍ରା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି।ଜଳ,ସ୍ଥଳ ଓ ଆକାଶ ପଥରେ ସୁରକ୍ଷା ବ୍ୟବସ୍ଥା କଡାକଡି ରହିବ।

ସହରକୁ ୧୨ଟି ଜୋନ ଓ ବଡ଼ଦାଣ୍ଡକୁ ୪ଟିଜୋନରେ ବିଭକ୍ତ କରାଯାଇଛି।ପ୍ରାୟ ୬୫ପ୍ଲାଟୁନ ଫୋର୍ସ ମୁତୟନ ହେବେ । ୧୦ଜଣ ଅତିରିକ୍ତ ଏସପି, ୩୧ଡିଏସପି, ୬୪ ଇନିସପେକ୍ଟର, ୨୨୨ ASI ଓ SI ହେବେ ମୁତୟନ ଶୃଙ୍ଖଳିତ ରଥଯାତ୍ରା ପାଇଁ ଦିଆଯାଉଛି ଗୁରୁତ୍ୱ।ପୁରୀ ପାଇଁ ସବୁ ପ୍ରଵେଶ ପଥ ସିଲ୍ ହେବ।ସିସିଟିଭି ନଜରରେ ରହିବ ପୁରୀ ସହର। ଜିଲ୍ଳା ପ୍ରଶାସନ ପକ୍ଷରୁ ମଧ୍ୟ ସମସ୍ତ ପ୍ରସ୍ତୁତି ସରିଛି। ଆସନ୍ତାକାଲି ରାତି ୮ଟାରୁ ୧୩ତାରିଖ ରାତି ୮ଟା ଯାଏଁ କର୍ଫ୍ୟୁ ଲାଗିବ।ଏଥିପାଇଁ ଆଜି ପୁରୀ ସହରରେ ସପ୍ତାହନ୍ତ ସଟ ଡାଉନକୁ କୋହଳ କରାଯାଇଛି। ଅନ୍ୟପଟେ ରଥଯାତ୍ରାରେ ସାମିଲ୍ ସେବାୟତ, ଶ୍ରୀମନ୍ଦିର ପ୍ରଶାସନ କର୍ମଚାରୀ ଓ ପୋଲିସ ଅଧିକାରୀ ମାନଙ୍କ ଆରଟିପିସିଆର୍ ଟେଷ୍ଟ ଶେଷ ହୋଇଛି। କେବଳ ନେଗେଟିଭ୍ ରିପୋର୍ଟ ଥିବା ବ୍ୟକ୍ତି ମହାପ୍ରଭୁଙ୍କ ଯାତ୍ରାରେ ସାମିଲ୍ ହେବେ ବୋଲି ପ୍ରଶାସନ ତରଫରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *