ରାଜ୍ୟ

ବଢ଼ିବ ତାପମାତ୍ରା, ଆସିବ କାଳବୈଶାଖୀ

ଭୁବନେଶ୍ୱର: ରାଜ୍ୟରେ ଏଣକି ତାପମାତ୍ରା ବୃଦ୍ଧି ପାଇବା ସାଙ୍ଗକୁ ବିଭିନ୍ନ ଜିଲ୍ଲାରେ କାଳବୈଶାଖି ଜନିତ ବର୍ଷା ହେବ । ବୁଧବାର ମୟୂରଭଞ୍ଜ ସମେତ କିଛି ଅଞ୍ଚଳରେ ବର୍ଷା ହୋଇଥିବା ବେଳେ ଆଗକୁ ବି ଏହି ସ୍ଥିତି ଜାରି ରହିବାର ସମ୍ଭାବନା ରହିଛି । ପାଣପାଗ କେନ୍ଦ୍ରର ତଥ୍ୟ ଅନୁଯାୟୀ ଶୁକ୍ରବାର ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କୋରାପୁଟ ଓ ନବରଙ୍ଗପୁରରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସେହିପରି ଝାରସୁଗୁଡ଼ା, ସୁନ୍ଦରଗଡ଼, ଅନୁୁଗୁଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର ଓ ଭଦ୍ରକରେ ବିଜୁଳି ଘଡ଼ଘଡ଼ି ହେବାର ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ୭ ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି ।

ପାଣିପାଗ କେନ୍ଦ୍ରର ସୂଚନାକୁ ଆଧାର କରି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ୭ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦିଆଯାଇଛି । ଅନ୍ୟପଟେ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା ଅନୁଯାୟୀ ୧୮ ତାରିଖରୁ କାଳବୈଶାଖି ବଢ଼ିବ । ରାଜ୍ୟରେ ବର୍ତ୍ତମାନ କାଳବୈଶାଖି ବର୍ଷା ପାଇଁ ପାଗ ଅନୁକୁଳ ହେବାରେ ଲାଗିଛି । ବିଶେଷ କରି ଉତ୍ତର ଓଡ଼ିଶାରେ ଏହାର ପ୍ରଭାବ ଅଧିକ ଦେଖିବାକୁ ମିଳିବ । ଆଜି ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ସମେତ ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବ । ୧୩ ତାରିଖରେ ମଧ୍ୟ ଏହାର ସମ୍ଭାବନା ରହିଛି । ତେବେ ୧୮ ତାରିଖରୁ ଏହା ବୃଦ୍ଧି ପାଇବ । ସେହିପରି ଏଣିତି ତାପମାତ୍ରା ବଢ଼ିବ । ଓଡ଼ିଶା ସମେତ ଉତ୍ତର ଭାରତରେ ବଢ଼ିବା ପରିବର୍ତ୍ତେ କମିଛି ।

Leave a Reply

Your email address will not be published. Required fields are marked *