ଦେଶ- ବିଦେଶ

ଆମେରିକା ଓ ବ୍ରାଜିଲ୍ ପରେ ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୪ ଲକ୍ଷ ଟପିଲା

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତରେ କରୋନାର ସଂକ୍ରମଣ ହ୍ରାସ ପାଇଥିଲେ ମଧ୍ୟ ଦେଶ ଅଲୋଡ଼ା ରେକର୍ଡରେ ସାମିଲ୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮୫୩ ଜଣ ମୃତ୍ୟୁବରଣ କରିବା ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୩୧୨ରେ ପହଞ୍ଚିଛି । ଫଳରେ ଆମେରିକା ଓ ବ୍ରାଜିଲ ପରେ ଭାରତ ଏହି କ୍ଲବରେ ସାମିଲ ହୋଇଛି । ଆଜି ସୁଦ୍ଧା ଆମେରିକାରେ ୬ ଲକ୍ଷ ୨୦ ହଜାର ୬୪୫ ଓ ବ୍ରାଜିଲରେ ୫ ଲକ୍ଷ ୨୦ ହଜାର ୧୮୯ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । ଫଳରେ ଭାରତ ମୃତ୍ୟୁ ସଂଖ୍ୟାରେ ୪ ଲକ୍ଷ ପାର କରିବା ସହ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଅପରପକ୍ଷେ, ଆଜି ସମଗ୍ର ଦେଶରେ ୪୬ ହଜାର ୬୧୭ ଜଣ ପଜିଟିଭ୍ ଚିହ୍ନଟ ହେବା ସହ ପ୍ରାୟ ୫୯ ହଜାର ୩୮୪ ଜଣ ସୁସ୍ଥ ହୋଇଛନ୍ତି । ଦେଶରେ ବର୍ତ୍ତମାନ ପ୍ରାୟ ୫ ଲକ୍ଷ ଆକ୍ଟିଭ୍ ମାମଲା ରହିଥିବା ବେଳେ ଗତ ପାଞ୍ଚଦିନ ଧରି ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ତଳକୁ ରହୁଛି । ସାପ୍ତାହିକୀ ପରିଟିଭିଟି ହାର ୨.୫୭ ପ୍ରତିଶତ ରହିଥିବା ବେଳେ ଆରୋଗ୍ୟ ହାର ବୃଦ୍ଧି ପାଇ ୯୭.୧ ପ୍ରତିଶତରେ ପହଞ୍ଚିଛି ।

ରିପୋର୍ଟରୁ ଜଣାପଡ଼ିଛି ଯେ, ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ୫ଟି ରାଜ୍ୟ ମଧ୍ୟରେ କେରଳ ସର୍ବାଗ୍ରେ ରହିଛି । କେରଳରେ ୧୨ ହଜାର ୮୬୮, ମହାରାଷ୍ଟ୍ରରେ ୯ ହଜାର ୧୯୫, ତାମିଲନାଡ଼ୁରେ ୪ ହଜାର ୪୮୧, ଆନ୍ଧ୍ରପ୍ରଦେଶରେ ୩ ହଜାର ୮୪୧, କର୍ଣ୍ଣାଟକରେ ୩ ହଜାର ୨୦୩ ମାମଲା ସାମନାକୁ ଆସିଛି । ସମଗ୍ର ଦେଶରୁ ଚିହ୍ନଟ ହେଉଥିବା ମୋଟ ସଂକ୍ରମିତଙ୍କ ୭୨ ପ୍ରତିଶତ ଏହି ପାଞ୍ଚଟି ରାଜ୍ୟରୁ ମିଳିଛି । କେବଳ କେରଳରୁ ୨୭ ପ୍ରତିଶତ ଚିହ୍ନଟ ହୋଇଛି । ଦେଶରେ ଗତ ୨୫ ଦିନ ମଧ୍ୟରେ କ୍ରମାଗତ ସଂକ୍ରମଣ ୫ ପ୍ରତିଶତ ତଳେ ରହୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୯୫ ଲକ୍ଷ ୪୮ ହଜାର ୩୦୨ ଜଣ ଲୋକ ଆରୋଗ୍ୟ ଲାଭ କରିଥିବା ବେଳେ କୋଭିଡ୍-୧୯ ମୃତ୍ୟୁ ହାର ୧.୩୧ ପ୍ରତିଶତ ରହିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟରୁ ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *