ରାଜ୍ୟ

୫୦% କର୍ମଚାରୀଙ୍କୁ ନେଇ ଚାଲିବ ସରକାରୀ ଅଫିସ୍‌

ଭୁବନେଶ୍ୱର  : ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଓ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକ ଜୁଲାଇ ୧୫ତାରିଖ ପର୍ଯ୍ୟନ୍ତ ଅତିକମରେ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଉପସଚିବ ଓ ତ୍‌ଉର୍ଦ୍ଧ୍ବ ପାହ୍ୟାର ଅଫିସରମାନେ ପ୍ରତିଦିନ ଅଫିସ ଆସିବେ । ଯେଉଁ କର୍ମଚାରୀମାନେ ଦୁଇଟି ଡୋଜ୍‌ କୋଭିଡ୍‌ ଟିକା ନେଇଥିବେ ସେମାନେ ଅଫିସ୍‌ ଆସିବା ବାଧ୍ୟତାମୂଳକ । ତେବେ ଭିନ୍ନକ୍ଷମ ଓ ଗର୍ଭବତୀ ମହିଳାଙ୍କୁ ଅଫିସ୍‌ ଆସିବା ଓ ୱାର୍କ ଫ୍ରମ୍ ହୋମରୁ ବାଦ୍‌ ଦିଆଯାଇଛି । ଗୁରୁବାର ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି । ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟସଚିବ ସଞ୍ଜିବ ଚୋପ୍ରା ଜୁଲାଇ ୧ରୁ ୧୫ତାରିଖ ପର୍ଯ୍ୟନ୍ତ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି । କଟକ ଓ ଭୁବନେଶ୍ୱରରେ ଥିବା ବିଭାଗୀୟ ଅଫିସ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କେଉଁ କର୍ମଚାରୀ ଅଫିସ୍‌ ଆସିବେ ତାହା ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ନିଷ୍ପତି ନେବେ । ସମ୍ପୂର୍ଣ୍ଣ ଟିକାକରଣ ହୋଇନଥିବା କର୍ମଚାରୀ ଓ ରୋଷ୍ଟର ଆଧାରରେ ଅଫିସ୍‌ ଆସିବା ନିଷ୍ପତି ସମ୍ପୃକ୍ତ କାର୍ଯ୍ୟାଳୟର ମୁଖ୍ୟ ନେବେ । ମାତ୍ର ଅତ୍ୟାବଶ୍ୟକ ସେବା ଯୋଗାଉଥିବା ଅଫିସ୍‌ ଯଥା- ଏସ୍‌ଆର୍‌ସି ଓ ଓସ୍‌ଡମା ଅଫିସ, ପୁଲିସ, ଅଗ୍ନିଶମ, ସ୍ୱାସ୍ଥ୍ୟସେବା, ପୌର ସେବା ଆଦି କାର୍ଯ୍ୟାଳୟଗୁଡ଼ିକ ସମ୍ପୂର୍ଣ୍ଣ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ । ଏହାବ୍ୟତୀତ ଯେଉଁ କର୍ମଚାରୀମାନଙ୍କୁ ରୋଷ୍ଟର ଡ୍ୟୁଟି ଆବଣ୍ଟନ ହୋଇନଥିବ ସେମାନେ ନିଶ୍ଚିତ ଭାବେ ଭିିଏନ୍‌ ମାଧ୍ୟମରେ ଘରୁ ରହି ନିୟମିତ ଓ ବକେୟା ଅଫିସ୍‌ କାର୍ଯ୍ୟ କରିବ । ଯଦି କିଛି ଜରୁରୀ ପଡ଼େ ତା’ହେଲେ ଟେଲିଫୋନ୍‌ ମାଧ୍ୟମରେ ସବୁ ସମୟରେ ଉପସ୍ଥିତ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଅଧସ୍ତନ ଅଫିସଗୁଡ଼ିକରେ କେତେ ସଂଖ୍ୟକ କର୍ମଚାରୀ କାର୍ଯ୍ୟ କରିବେ ସେ ନିଷ୍ପତି ସେମାନଙ୍କର ପ୍ରଶାସନିକ ବିଭାଗ କରିବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି ।

Leave a Reply

Your email address will not be published. Required fields are marked *