ରାଜ୍ୟ

ବିଶିଷ୍ଟ ଐତିହାସିକ, ପ୍ରତ୍ନତତ୍ତ୍ୱବିତ ଦେବରାଜ ପ୍ରଧାନଙ୍କ ପରଲୋକ

ଭୁବନେଶ୍ୱର : ରାଜ୍ୟ ଅବିଲେଖାଗାରର ପୂର୍ବତନ ଅଧିକ୍ଷକ ଓଡିଶାର ବିଶିଷ୍ଟ ପ୍ରତ୍ନତତ୍ୱବିତ, ଐତିହାସିକ  ଦେବରାଜ ପ୍ରଧାନ ଆଉ ଇହଜଗତରେ ନାହାଁନ୍ତି । ଶୁକ୍ରବାର ପୂର୍ବାହ୍ନରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲାବେଳେ ସେ ପରଲୋକ ଗମନ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ବରଗଡ ସହରରେ ରୋହିଣିଆରେ ଏକ ସମ୍ଭାନ୍ତ ଓ ଚାଷୀ ପରିବାରରେ ଜନ୍ମ ଗ୍ରହଣ କରିଥିବା ସ୍ୱର୍ଗତ ଦେବରାଜ ପ୍ରଧାନ ପିଲାଦିନୁ ଓଡିଶା ପ୍ରାଚୀନ ଇତିହାସକୁ ଜାଣିବାକୁ ବ୍ୟାକୁଳ ଥିଲେ । ବରଗଡରୁ ଶିକ୍ଷା ସମାପ୍ତ ପରେ ସେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଇତିହାସ ଓ ପ୍ରତ୍ନତ୍ତତ୍ୱ ବିଷୟରେ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ । ପରେ ନୂଆଦିଲ୍ଲୀ ଏବଂ ଇଂଲଣ୍ଡର ୟର୍କସାୟାରରେ ପ୍ରତ୍ନତତ୍ତ୍ୱ ଉପରେ ସ୍ୱତନ୍ତ୍ର ଟ୍ରେନିଂ ନେଇଥିଲେ । ସ୍ୱର୍ଗତ ପ୍ରଧାନ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ଲାଙ୍ଗୁଡି ପାହାଡ଼ର ପ୍ରତ୍ନତାତ୍ୱିକ ଖନନ କରି ଅଶୋକଙ୍କ ଦ୍ୱାରା ଲିଖିତ ବିରଳ ଶିଳାଲିପି ଓ ପୁଷୁପୁକିଲି(ପୁଷ୍ପଗିରି) ମହାବିହାର ସମ୍ପର୍କିତ ୪ଟି ଶିଳାଲିପି ଆବିଷ୍କାର କରିଥିଲେ । 

ଏପରିକି ଚୀନ ପରିବ୍ରାଜକ ହୁଏନସାଙ୍କ ଓଡିଶା ଆଗମନ ସମ୍ପର୍କରେ ବି ବହୁ ଉପାଦେୟ ତଥ୍ୟ ସେ ବାହାର କରି କେବଳ ଓଡିଶା କି ଭାରତ ନୁହେଁ, ସାରା ବିଶ୍ୱରେ ହଇଚଇ ସୃଷ୍ଟି କରିଥିଲେ । ଲାଙ୍ଗୁଡି ସମେତ ବଜ୍ରଗିରି, କାୟମା, ରାଧାନଗର ଭଳି ବହୁ ମୁଣ୍ଡିଆ ପାହାଡ଼ ଓ ସମତଳ ଅଞ୍ଚଳରେ ତାଙ୍କ ଟିମ ସର୍ବେକ୍ଷଣ ପରେ ଉତଖନନ କରି ଇତିହାସ ରଚିଥିଲେ । ଏପରିକି ଖନନରୁ ପ୍ରାପ୍ତ  ଶିଳାଲିପି ସବୁର ପଠନ କରିଥିଲେ ଭାରତର ବିଶିଷ୍ଟ ଲିପିତ୍ତତ୍ୱବିତ ପ୍ରଫେସର ବି ଏନ ମୁଖାର୍ଜୀ ଓ ସ୍ୱର୍ଗତ ପ୍ରଧାନଙ୍କ ଦ୍ୱାରା ଇଂରାଜୀରେ ଲିଖିତ ଅନେକ ଗବେଷଣାତ୍ମକ ନିବନ୍ଧ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପତ୍ରିକାରେ ପ୍ରକାଶ ପାଇଛ । ଦେବରାଜବାବୁ ବହୁ ଗବେଷଷଣାତ୍ମକ ନିବନ୍ଧ ଓଡ଼ିଆରେ ଲେଖିଥିଲେ । ବିଶେଷକରି ଲାଙ୍ଗୁଡି, ପୁଷୁପୁକିଲି ମହାବିହାର, ଶ୍ରୀମନ୍ଦିର ପଥର ଖସିବାର କାରଣ ଏବଂ ଦକ୍ଷିଣ ପୂର୍ବ ଏସୀୟ ଦେଶ ଉପରେ ଗବେଷଣାତ୍ମକ ଉପାଦେୟ ନିବନ୍ଧ ‘ପ୍ରଜାତନ୍ତ୍ର’  ଓ ‘ସମୟ’ରେ ପ୍ରକାଶ ପାଇଥିଲା । ଆଜିବି ସେହି ରିପୋର୍ଟଗୁଡିକର ଗୁରୁତ୍ୱ ରହିଛି ।

ବିଜୁ ବାବୁ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ଝିଅ ଗୀତା ମେହେଟା ଓ ସାନ ପୁଅ ତଥା ଏବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମେରିକାରୁ ଓଡିଶା ଆସିଲେ ବିଭିନ୍ନ ଐତିହାସିକ କ୍ଷେତ୍ର ବୁଲିବାକୁ ଯାଉଥିଲେ । ବିଜୁ ବାବୁଙ୍କ ନିର୍ଦେଶରେ ଦେବରାଜ ବାବୁ ଉଭୟ ଗୀତା ଓ ନବୀନଙ୍କୁ ଗାଇଡ଼ ଭାବରେ ବିଭିନ୍ନ ସ୍ଥାନ ବୁଲାଉ ଥିଲେ । ଆମେରିକା ଫେରିଲା ବେଳେ ଦେବରାଜ ଓଡିଶା ସମ୍ପର୍କିତ ବହୁ ପୁସ୍ତକ ସେମାନଙ୍କୁ ଦେଇଥିଲେ । ତାଙ୍କ ମୃତ୍ୟୁ ଖବର ପ୍ରଚାର ହେବାପରେ ବିଶିଷ୍ଟ ବ୍ୟକ୍ତି ତାଙ୍କୁ ଶେଷ ଦର୍ଶନ କରିଥିଲେ । ବିଶିଷ୍ଟ ଗବେଷକ ଅସିତ ମହାନ୍ତି ଶୋକ ବ୍ୟକ୍ତ କରି ତାଙ୍କୁ ଜଣେ ବିରଳ ଗବେଷକ ଭାବେ ବର୍ଣନା କରିଛନ୍ତି ।   

Leave a Reply

Your email address will not be published. Required fields are marked *