ରାଜନୀତିରାଜ୍ୟ

ବିଜେପିର ନୂଆ ପ୍ରସଙ୍ଗ, ଜଙ୍ଗଲ ନିଆଁ ଓ ମହାନଦୀ ଜଳ ସଙ୍କଟ

ଭୁବନେଶ୍ୱର : ବିଜେପି ସୀମା ବିବାଦ, ମଣ୍ଡି ସମସ୍ୟା ସହିତ ଜଙ୍ଗଲ ନିଆଁ ଓ ମହାନଦୀରେ ଜଳ ସଙ୍କଟ ପ୍ରସଙ୍ଗକୁ ନୂଆ ପ୍ରସଙ୍ଗ ଭାବେ ଗ୍ରହଣକରିଛି । ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନରେ ଦଳ ସରକାରଙ୍କୁ ଏହି ପ୍ରସଙ୍ଗରେ ଘେରିବ ବୋଲି କହିଛନ୍ତି ବିରୋଧୀଦଳ ନେତା ପ୍ରଦୀପ୍ତ ନାଏକ । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାର କେବଳ ଆତ୍ମପ୍ରଚାର ସର୍ବସ୍ୱ । ଭାଷଣ ବେଶୀ, କାମ କମ୍ । ଶିମିଳିପାଳ ଜଳୁଥିଲେ ହେଁ ସେଥିପ୍ରତି ନଜର ନାହିଁ । ଜାତୀୟ ସମ୍ପତ୍ତି ନଷ୍ଟହେବାରେ ଲାଗିଛି । ଅନ୍ୟପଟେ ଚାଷୀ କାନ୍ଦୁଛି । ଟୋକନ୍ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ ପଡ଼ିରହୁଛି । ଚାଷୀ ଧାନ ଅମଳ କରି ବିକିବାକୁ ବସିଥିବାବେଳେ କେଉଁଠି ମଣ୍ଡି ନାହିଁ, ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଦେଖାଯାଇଛି । ସରକାର ଧାନ କିଣିବା ନେଇ ଗୃହରେ ପ୍ରତିଶ୍ରୁତି ଦେଇଥିଲେ ହେଁ ତାହା ପାଳନ କରିନାହାନ୍ତି । ଚାଷୀଙ୍କୁ ଠକିଛନ୍ତି । ସେହିପରି ସୀମା ବିବାଦ ସମସ୍ୟା ଆହୁରି ଜଟିଳ ହେବାରେ ଲାଗିଛି । ୨୦ବର୍ଷ ଶାସନ ପରେ ବି ରାଜ୍ୟସରକାର ସୀମା ବିବାଦର ସମାଧାନ କରିପାରିଲେ ନାହିଁ । ବର୍ଷ ବର୍ଷ ଧରି ରାଜ୍ୟ-ରାଜ୍ୟ ଭିତରେ ସୀମା ବିବାଦ ଲାଗି ରହିଛି । ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକରେ ଓଡ଼ିଶା ସରକାର ବିକାଶମୂଳକ କାର୍ଯ୍ୟ କରିବାରେ ବିଫଳ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *