ରାଜ୍ୟ

ମମତାଙ୍କ ଆଶୁ ଆରୋଗ୍ୟ କାମନାକଲେ ନବୀନ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି । ମମତାଙ୍କ ସ୍ୱାସ୍ଥ୍ୟପାଇଁ ପ୍ରାର୍ଥନା କରିଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସୂଚନାଯୋଗ୍ୟ, ବୁଧବାର ନନ୍ଦିଗ୍ରାମରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଥିଲେ । ନିର୍ବାଚନ ପୂର୍ବରୁ ନାମାଙ୍କନ କରିବା ପାଇଁ ନନ୍ଦିଗ୍ରାମ ଯାଇଥିଲେ ମମତା। ଅପରାହ୍ନରେ ସେ ଆହତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏସ୍‌ଏସ୍କେଏମ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ମମତାଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି । ଡାକ୍ତର ଏମ୍‌. ବନ୍ଦୋପାଧ୍ୟାୟ କହିଛନ୍ତି, ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି ଯେ ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ ବାମ ପାଦ କ୍ଷତାକ୍ତ ହୋଇଛି । ତାଙ୍କର ଡାହାଣ କାନ୍ଧ, ବାହୁ ଓ ବେକରେ ମଧ୍ୟ ଆଘାତ ଲାଗିଛି । ଅଘଟଣ ପରଠାରୁ ଛାତିରେ ଯନ୍ତ୍ରଣା ହେବା ସହ ଅଣନିଃଶ୍ୱାସୀ ଲାଗୁଥିବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି । ଆଉ ୨୪ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯିବ । ତାଙ୍କର ଗୋଡ଼ ଫୁଲି ଦରଜ ହୋଇଥିବା କୁହାଯାଉଛି । ଆହତ ହେବା ପରେ ତୁରନ୍ତ ତାଙ୍କୁ କୋଲକତା ଅଣାଯାଇ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

Leave a Reply

Your email address will not be published. Required fields are marked *