ମହାନଗରରାଜ୍ୟ

ସାଇବର ଠକକୁ କାବୁ କଲା ପୁଲିସ

ଭୁବନେଶ୍ୱର : ଅନ୍‌ଲାଇନ୍ ଚାକିରି ଦେବା ନାଁରେ ୧୦ହଜାର ଟଙ୍କା ଠକେଇ କରିଥିବା ସାଇବରଠକକୁ ଚନ୍ଦ୍ରଶେଖରପୁର ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ଜଣକ ହେଲେ ସୁବ୍ରତ ସାମଲ । ସେ ଭୁବନେଶ୍ୱରରେ ଭଡ଼ା ଘରେ ରହି ଓଏଲ୍‌ଏକ୍ସରେ ଅନ୍‌ଲାଇନ୍‌ରେ ଚାକିରି ବିଜ୍ଞାପନ ଦେଇ ଲୋକଙ୍କୁ ଠକୁଥିଲା । ସୂଚନା ଅନୁଯାୟୀ, ପଟିଆ ଅଞ୍ଚଳର ସୁକାନ୍ତ ସେଠୀ ନାମକ ଜଣେ ଜିମ୍ ସେଣ୍ଟର ପ୍ରଶିକ୍ଷକ ସୁବ୍ରତ ଜାଲରେ ପଡ଼ିଯାଇଥିଲେ । ଗତ ୨ ତାରିଖରେ ସୁବ୍ରତ ତାଙ୍କୁ ଫୋନ୍ କରି କେନ୍ଦୁଝର ଆର୍‌ଟିଓ କାର୍ଯ୍ୟାଳୟରେ ଏକ କିରାଣୀ ଚାକିରି କରାଇ ଦେବାର ଲୋଭ ଦେଖାଇଥିଲା । ଏ ବାବଦରେ ୫୦ହଜାର ଟଙ୍କା ଡିମାଣ୍ଡ କରିଥିଲା । ସୁକାନ୍ତ ଫୋନ ପେରେ ତାଙ୍କୁ ୧୦ ହଜାର ଟଙ୍କା ପଠାଇଥିଲେ । ବଳକା ଟଙ୍କା ଚାକିରି ପରେ ଦେବେ ବୋଲି କଥା ଛିଡିଥିଲା । ପରେ ସାଇବର ଠକ ବୋଲି ସନ୍ଦେହ ଉପୁଜିବାରୁ ଶ୍ରୀକାନ୍ତ ବଳକା ଟଙ୍କା ଦେବାକୁ ତାକୁ ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କି ସାମ୍ନାକୁ ଡାକିଥିଲେ । ସୁକାନ୍ତ ଠକେଇ ବାବଦରେ ପୁଲିସକୁ ଜଣାଇବା ପରେ ପୁଲିସ ପେଟ୍ରୋଲ ପମ୍ପ ସାମ୍ନାରେ ଜଗି ରହିଥିଲା । ସୁବ୍ରତ ଟଙ୍କା ନେବାକୁ ଆସି ପୁଲିସ ହାବୁଡ଼ରେ ଧରାପଡ଼ିଥିଲା । ପୁଲିସ ତା’ ବ୍ୟାଗ୍ ଯାଞ୍ଚ କରିବା ବେଳେ ସେଥିରୁ କିଛି ନକଲି ପରିଚୟପତ୍ର ଓ ଶିକ୍ଷାଗତ ସାର୍ଟିଫିକେଟ୍ ମିଳିଛି । ଯାହାକୁ ନେଇ ସୁବ୍ରତକୁ ଅଟକ ରଖି ପଚରାଉଚରା କରାଯାଉଛି ।

Leave a Reply

Your email address will not be published. Required fields are marked *