ରାଜ୍ୟ

ମାଟ୍ରିକ୍ ପରୀକ୍ଷାଫଳ ପ୍ରକାଶିତ: ପାସ୍ ହାର ୯୭.୮୯

ଭୁବନେଶ୍ୱର : ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ(ବିଏସ୍ଇ) ପକ୍ଷରୁ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ । କରୋନା ମହାମାରୀ କାରଣରୁ ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ଫଳାଫଳ ପ୍ରକାଶିତ ହୋଇଛି । କଟକ ସ୍ଥିତ ବୋର୍ଡ ଅଫିସ ପରିସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଫଳାଫଳ ଘୋଷଣା କରିଥିଲେ । ଚଳିତ ବର୍ଷର ପାସ ହାର ୯୭.୮୯ ପ୍ରତିଶତ ରହିଛି । ଅଣରେଗୁଲାର ଛାତ୍ରଙ୍କ ପାଶ୍ ହାର ୮୮.୩୦ ପ୍ରତିଶତ ରହିଛି । ସମୁଦାୟ ୫ ଲକ୍ଷ ୭୪ ହଜାର ୧୨୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ସମୁଦାୟ ୫ ଲକ୍ଷ ୬୨ ହଜାର ୧୦ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ୨୮୦୩୫୨ ଜଣ ଛାତ୍ର ପାସ କରିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୨୮୧୬୫୮ରହିଛି । ୪୪୧୨ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ବେଳେ ୨୨୫୬ ଜଣଙ୍କ ପରୀକ୍ଷା ଫଳ ପ୍ରକାଶ ପାଇନାହିଁ । ପାସ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୬୫୬ ଜଣ ଏ-୧ ଗ୍ରେଡ୍ ହାସଲ କରିଛନ୍ତି । ଏ-୨ରେ ୨୨୧୩୧ ଜଣ ଛାତ୍ରଛାତ୍ରୀ ରହିଥିବା ବେଳେ ବି-୧ରେ ୫୨୨୫୧ ଜଣ ଏବଂ ବି-୨ରେ ୯୪୪୭୫ ଜଣ ରହିଛନ୍ତି ।

ରାଜ୍ୟରେ ୫୯୪୫ ସ୍କୁଲରେ ଶତପ୍ରତିଶତ ପାଶହାର ରହିଥିବା ବେଳେ ଏହା ସହିତ ପ୍ରଥମ ଥର ପାଇଁ କୌଣସି ସ୍କୁଲରେ ଶୂନ ପରୀକ୍ଷା ଫଳ ହୋଇନାହିଁ । ସେହିପରି ମଧ୍ୟମାରେ ପାସ୍ ହାର ୯୮.୦୭ ପ୍ରତିଶତ ରହିଛି । ସମୁଦାୟ ୪୭୧୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ଏହା ମଧ୍ୟରୁ ୪୬୨୨ ଜଣ ପାସ୍ କରିଛନ୍ତି । ୮୫ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ । ଗ୍ରେଡ୍ ଏ-୧ରେ ପାସ କରିଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ଶୂନ ରହିଥିବା ବେଳେ ଏ-୨ରେ ୪୧ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ସେହିପରି ଭାବରେ ବି-୧ରେ ୬୫୫, ବି-୨ରେ ୧୮୩୧, ସିରେ ୧୩୫୭, ଡିରେ ୫୬୫, ଇରେ ୧୬୯ ଏବଂ ଗ୍ରେଡ୍ ଏଫରେ ୬ ଜଣ ଛାତ୍ରଛାତ୍ରୀ ରହିଛନ୍ତି । ଏହା ବ୍ୟତିତ କମ୍ପାର୍ଟମେଣ୍ଟାଲରେ ୪ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି ।

Leave a Reply

Your email address will not be published. Required fields are marked *