ରାଜ୍ୟ

କରୋନା ଡ୍ୟୁଟିରେ ଥାଇ ୬ ମାସ ହେଲା ମିଳିନି ଦରମା

ଭୁବନେଶ୍ୱର : ଗୋଟିଏ ପଟେ ରାଜ୍ୟରେ କରୋନା ମୁକାବିଲା କରିବା କ୍ଷେତ୍ରରେ ଡାକ୍ତରଙ୍କ ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ କହିଆସୁଥିବାବେଳେ ଅନ୍ୟପଟେ ଡାକ୍ତର ଭୋଗୁଥିବା ମାନସିକ ଯନ୍ତ୍ରଣା ପଦାରେ ପଡ଼ିଛି । ଡାକ୍ତରଙ୍କୁ ତାଙ୍କ ମାସିକ ପାରିଶ୍ରମିକ ଦେବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ମାସେ ନୁହେଁ କି ଦୁଇ ମାସ ନୁହେଁ ଗତ ୬ ମାସ ହେଲାଣି ଏଭଳି ମାନସିକ ଚାପ ଭିତରେ ଅଛନ୍ତି ବୋଲି ଟ୍ୱିଟର୍‌ରେ ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟ୍ୱିଟର୍‌ରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଅନ୍ୟ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି । ରାଜ୍ୟରେ ଯେତେବେଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା, ସେତେବେଳେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ୩୬ ଜଣ ପିଜି ଡାକ୍ତରଙ୍କୁ ଗତ ଜାନୁଆରୀ ମାସରେ ରାଜ୍ୟର ବିଭିନ୍ନ ମେଡିକାଲି କଲେଜ ଓ ହସ୍ପିଟାଲକୁ ବଦଳି କରିଥିଲେ ।

ସେମାନେ କୋଭିଡ୍ ଭଳି ମହାମାରୀ ସମୟରେ ରୋଗୀଙ୍କୁ ସୁସ୍ଥ କଲେ । ହେଲେ ଏହି ୩୬ ଜଣଙ୍କୁ ମଧ୍ୟରୁ ଅଧିକାଂଶ ଡାକ୍ତର ଏବେ ନିଜେ ଯନ୍ତ୍ରଣା ଓ ମାନସିକ ଚାପରେ ଦିନ କାଟୁଛନ୍ତି । ସେମାନେ ଯେ ଗତ ୬ ମାସ ହେଲା ଦରମା ପାଇନାହାନ୍ତି । କେବଳ ସେତିକି ନୁହେଁ, ସମସ୍ତ ପ୍ରକାର ପ୍ରୋତ୍ସାହନ ରାଶି ମଧ୍ୟ ପାଇବାରୁ ସେମାନେ ବଞ୍ଚିତ ରହିଛନ୍ତି । ଗୋଟିଏ ପଟେ ଜୀବନକୁ ବିପଦରେ ପକାଇ ଡ୍ୟୁଟି କରୁଥିବାବେଳେ ଅନ୍ୟପଟେ ଆର୍ôଥକ ସମସ୍ୟା ପାଇଁ ପାରିବାରିକ ଓ ସାମାଜିକ ଯନ୍ତ୍ରଣା ଭୋଗୁଛନ୍ତି ବୋଲି ସେମାନେ କହିଛନ୍ତି । ସେମାନଙ୍କ ମୁଖ୍ୟ ସମସ୍ୟା ହେଲା, ସେମାନେ ଯେତେବେଳେ ଏସସିବିରେ କାର୍ଯ୍ୟରତ ସମୟରେ ଅନ୍ୟସ୍ଥାନକୁ ବଦଳି ହୋଇଥିଲେ ଏସସିବି କର୍ତ୍ତୃପକ୍ଷ ସେମାନଙ୍କ ଦରମା ସମ୍ବନ୍ଧୀୟ କ୍ଳିୟରାନ୍ସ କାଗଜପତ୍ର ବର୍ତ୍ତମାନ ଡ୍ୟୁଟିରେ ଥିବା ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଦେଇନାହାନ୍ତି । ସେହିପରି ବର୍ତ୍ତମାନ ଡାକ୍ତରମାନେ ଗୋଟିଏ ହସ୍ପିଟାଲରୁ ଆଉ ଗୋଟିଏ ହସ୍ପିଟାଲକୁ ବଦଳି ହେଉଛନ୍ତି । ଫଳରେ ହସ୍ପିଟାଲ କର୍ତ୍ତୃପକ୍ଷ ଠିକ୍ ସମୟରେ ଦରମା ସମ୍ବନ୍ଧୀୟ କାଗଜପତ୍ର ଦାଖଲ କରିପାରୁନାହାନ୍ତି ।

ଦରମା ଭଳି ସମ୍ବେଦନଶୀଳ କ୍ଷେତ୍ରରେ ଚରମ ଅବହେଳା ପ୍ରଦର୍ଶନ କରୁଛନ୍ତି । ଏସସିବିରୁ ବଦଳି ହୋଇଥିବା ଡାକ୍ତର ରଞ୍ଜିତ କୁମାର ପଣ୍ଡା ୬ ମାସ ହେଲା ଦରମା ପାଇନାହାନ୍ତି । ସେ ଏସସିବିରୁ ଏମ୍‌କେଜିସି ବଦଳି ହୋଇଥିଲେ । ଗତ କିଛି ଦିନ ତଳେ ପୁଣି ପୁରୀ କୋଭିଡ୍ ହସ୍ପିଟାଲକୁ ବଦଳି ହୋଇଛନ୍ତି । ସେ ବର୍ତ୍ତମାନ ମାନସିକ ଯନ୍ତ୍ରଣାରେ ଅଛନ୍ତି । ସେହିପରି ଡାକ୍ତର ରାମଚନ୍ଦ୍ର ମାର୍ଣ୍ଡି ସେହି ଏକା ଅବସ୍ଥା ଭୋଗୁଛନ୍ତି । ସେ ଏମକେଜିସି ହସ୍ପିଟାଲରେ ଡ୍ୟୁଟି କରିବା ପରେ ବଲାଙ୍ଗିର ମେଡିକାଲି କଲେଜକୁ ବଦଳି ହୋଇଥିଲେ । ତାଙ୍କୁ ମଧ୍ୟ ୬ ମାସ ହେଲା ଦରମା ମିଳିନାହିଁ । ସେହି ସମାନ ସମସ୍ୟା ଭୋଗୁଛନ୍ତି ଅଧିକାଂଶ ଡାକ୍ତର । କେବଳ ପିଜି ଡାକ୍ତର ଏଭଳି ସମସ୍ୟା ଭୋଗୁଛନ୍ତି ତାହା ନୁହେଁ ଅନ୍ୟ ବର୍ଗର ଡାକ୍ତରଙ୍କର ଏହି ସମସ୍ୟା ରହିଛି ବୋଲି ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *