ଅପରାଧରାଜ୍ୟ

ଉନ୍ମତ୍ତ ଯୁବକଙ୍କ ଆତଙ୍କରାଜ : ପିସ୍ତଲ ଦେଖାଇ ପରିବାରକୁ ରଖିଥିଲା ବନ୍ଧକ, ତା’ପରେ…

ବଲାଙ୍ଗିର : ବଲାଙ୍ଗିର ଟାଉନ ଥାନା ଅଞ୍ଚଳରେ ଜଣେ ଉନ୍ମତ୍ତ ଯୁବକଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଶାନ୍ତିପଡ଼ାରେ ଜଣେ ବ୍ୟକ୍ତିଙ୍କ ଘରେ ପଶି ଯୁବକ ଜଣକ ଆତଙ୍କ ଚଳାଉଥିବା ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି । ଯୁବକଙ୍କ ହାତରେ ବନ୍ଧୁକ ଧରିଥିବାରୁ ଘଟଣାସ୍ଥଳରେ ଉପସ୍ଥିତ ଲୋକଙ୍କ ମନରେ ଛାନିଆ ପଶିଛି ।ତେବେ ପିସ୍ତଲ ଦେଖାଇ ଘର ମାଲିକ ଓ ପରିବାରଲୋକଙ୍କୁ ବନ୍ଧକ ରଖିଥିଲା ସେହି ଉନ୍ମତ୍ତ ବନ୍ଧୁକଧାରାୟୀ ଯୁବକ । ଏହା ସହିତ ନିଜ ଛାତିରେ ବନ୍ଧୁକ ଲଗାଇ କେହି ପାଖକୁ ଆସିଲେ ମାରିଦେବାକୁ ଧମକ ମଧ୍ୟ ଦେଉଥିଲା । ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଏସଡିପିଓ, ଥାନା ଅଧିକାରୀ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲେ । ସୂଚନା ମିଳିଛି ଯେ, ସିଡି ପକାଇ ସଦର ଏସଡିପିଓ ଝରକା ବାଟେ ଘର ଭିତରକୁ ପଶିଥିଲେ । ଯୁବକଙ୍କୁ କାବୁ କରିବାକୁ ଝରକା ବାଟେ ସନ୍ତର୍ପଣରେ ପଶିଥିଲେ ଏସଡିପିଓ । ଏସଡିପିଓଙ୍କ ସହ ଅଗ୍ନିଶମ କର୍ମଚାରୀ ବି ଘର ଭିତରେ ପଶିଥିଲେ । ବନ୍ଧକ ଥିବା ଲୋକଙ୍କୁ ସିଡି ଓ ରଶି ବାନ୍ଧି ପୋଲିସ ଉଦ୍ଧାର କରିଛି ।

ଅଣ୍ଟାରେ ରଶି ବାନ୍ଧି ସିଡି ବାଟେ ସମସ୍ତ ୩ ବନ୍ଧକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଦୁଇ ଜଣ ପୁରୁଷ ଥିବା ବେଳେ ଆଉ ଜଣେ ମହିଳା ଥିବା ଜଣାପଡିଛି । ଯୁବକକୁ ବାକୁ କରିବାକୁ ପୋଲିସ ନିଜର ଉଦ୍ୟମ ଜାରି ରଖିଛି । ତେବେ ବନ୍ଧୁକଧାରୀ ଯୁବକ ଆଜି ସକାଳେ ଶାନ୍ତିପଡ଼ାରେ ରହୁଥିବା ଦିବ୍ୟଲୋଚନ ହୋତାଙ୍କ ଘରେ ପଶିଯାଇଥିଲା। ସେତେବେଳେ ଘରେ ୩ ଜଣ ସଦସ୍ୟ ଥିଲେ। ସେମାନେ ଗୋଟିଏ ରୁମ୍‌ରେ ନିଜକୁ ବନ୍ଦ କରି ଦେଇଥିବା ବେଳେ ବନ୍ଧୁକଧାରୀ ଘର ଭିତରେ ବସିରହିଥିଲା । ପୋଲିସ ଫୋନ୍‌ ଯୋଗେ ଉକ୍ତ ଯୁବକଙ୍କ ସହିତ ଆଲୋଚନା କରିଥିଲା। କିନ୍ତୁ ତାକୁ ବୁଝାଇବାରେ ପୋଲିସ ‍ବିଫଳ ହୋଇଥିଲା। ଏହା ପରେ ତାଙ୍କ ମା’ଙ୍କୁ ଘର ଭିତରକୁ ପଠାଯାଇଥିଲା। କିନ୍ତୁ ବିଶେଷ କିଛି ଫରକ ପଡ଼ି ନଥିଲା। ଯୁବକ ଜଣଙ୍କ କାହା କଥା ଶୁଣି ନଥିଲା ।

Leave a Reply

Your email address will not be published. Required fields are marked *