ଦେଶ- ବିଦେଶ

ନନ୍ଦୀଗ୍ରାମରେ ମମତା- ଶୁଭେନ୍ଦୁଙ୍କ ହାଇଭୋଲଟେଜ୍ ଲଢ଼େଇ

କୋଲକାତା : ଆଜି ଭାରତୀୟ ଜନତା ପାର୍ଟି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଲାଗି ପ୍ରକାଶ କରିଛି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଏହି ତାଲିକାରେ ୫୭ ଜଣଙ୍କର ନାମ ସ୍ଥାନ ପାଇଛି । ତେବେ ଏ ମଧ୍ୟରେ ବହୁଚର୍ଚ୍ଚିତ ତଥା ସମ୍ମାନଜନକ ନନ୍ଦୀଗ୍ରାମ ବିଧାନସଭା ଆସନ ରହିଛି । ଏଠାରୁ ତୃଣମୂଳ କଂଗ୍ରେସ ଛାଡ଼ି ବିଜେପି ଆସିଥିବା ମମତା ବାନାର୍ଜୀଙ୍କ ପୂର୍ବତନ ଘନିଷ୍ଠ ସହଯୋଗୀ ଶୁଭେନ୍ଦୁ ଅଧିକାରୀଙ୍କୁ ପ୍ରାର୍ଥୀ କରିଛି ବିଜେପି । ଫଳରେ ନନ୍ଦୀଗ୍ରାମରେ ମମତା- ଶୁଭେନ୍ଦୁଙ୍କ ମଧ୍ୟରେ ହାଇଭୋଲଟେଜ୍ ଲଢ଼େଇ ସୁନିଶ୍ଚିତ ହୋଇଛି ।

ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତ ନିର୍ବାଚନରେ ଭବାନୀପୁର ଆସନରୁ ଲଢ଼ିଥିବା ବେଳେ ଏଥର କିନ୍ତୁ ନନ୍ଦୀଗ୍ରାମକୁ ବାଛିଛନ୍ତି । ଏହି ନିର୍ବାଚନ ମଣ୍ଡଳୀକୁ ଶୁଭେନ୍ଦୁଙ୍କ ଗଡ଼ ବୋଲି କୁହାଯାଏ । ତେଣୁ ମମତାଙ୍କୁ କଡ଼ା ଟକ୍କରର ସମ୍ମୁଖୀନ ହେବାକୁ ପଡ଼ିବ ବୋଲି କୁହାଯାଉଛି । ପୂର୍ବରୁ ଶୁଭେନ୍ଦୁ ମମତାଙ୍କୁ ତାଙ୍କ ସହ ନନ୍ଦୀଗ୍ରାମରୁ ଲଢ଼ିବାକୁ ଆହ୍ୱାନ ଦେଇଥିଲେ ଏବଂ ମମତା ତାହା ଗ୍ରହଣ କରିଥିବା କହିଛନ୍ତି ।

ଅନ୍ୟପକ୍ଷରେ ଗତ ସପ୍ତାହରେ ବିଜେପି ନେତୃବୃନ୍ଦଙ୍କୁ ଶୁଭେନ୍ଦୁ ଅଧିକାରୀ କହିଥିଲେ ଯେ ଯଦି ତାଙ୍କୁ ନନ୍ଦୀଗ୍ରାମରୁ ଲଢ଼ିବାକୁ ଟିକଟ ଦିଆଯାଏ, ତେବେ ସେ ଅତି କମରେ ୫୦,୦୦୦ ଭୋଟରେ ବିଜୟ ଲାଭ କରିବେ । ତେବେ ମମତାଙ୍କ ବିରୋଧରେ ଲଢ଼ିବା ଲାଗି ତାଙ୍କୁ ଦଳୀୟ ଟିକେଟ୍ ଦିଆଯିବ କି ନାହିଁ, ସେ ନିଷ୍ପତ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଛଡ଼ା ଯାଇଥିଲା । ଆଜି ହାଇ ପ୍ରୋଫାଇଲ୍ ନନ୍ଦୀଗ୍ରାମ ଆସନରୁ ବିଜେପି ଶୁଭେନ୍ଦୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଶାସକ ତୃଣମୂଳ କଂଗ୍ରେସ ପକ୍ଷରୁ ଗତକାଲି ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ତାଲିକାରେ ୨୯୧ ପ୍ରାର୍ଥୀଙ୍କ ନାମ ରହିଥିବା ବେଳେ ଏଥିରେ ୫୦ ଜଣ ମହିଳାଙ୍କୁ ଟିକଟ ଦିଆଯାଇଛି । ଟିଏମ୍‌ସି ପ୍ରାର୍ଥୀ ତାଲିକାରେ ୪୨ ଜଣ ମୁସ୍‌ଲିମ ପ୍ରାର୍ଥୀ ଥିବା ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଦକ୍ଷିଣ କୋଲକାତାର ଭବାନୀପୁର ଆସନରୁ ଏଥର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରାର୍ଥୀ ହେବେ ନାହିଁ । ଏହି ଆସନ ପାଇଁ ଶକ୍ତିମନ୍ତ୍ରୀ ଶୋଭନଦେବ ଚାଟାର୍ଜୀଙ୍କ ନାମ ରହିଛି ।

Leave a Reply

Your email address will not be published. Required fields are marked *