ଖେଳ

ଆଇପିଏଲର ଦ୍ୱିତୀୟ ଭାଗ ସେପ୍ଟେମ୍ବର ୧୯ରେ ଆରମ୍ଭ

ନୂଆଦିଲ୍ଲୀ  : ଆସନ୍ତା ସେପ୍ଟେମ୍ବର ୧୯ରୁ ଅକ୍ଟାେବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ସ୍ଥଗିତ ଆଇପିଏଲର ଦ୍ୱିତୀୟ ଭାଗ । ୟୁନାଇଟେଡ ଆରବ ଏମିରେଟ୍ସର ଦୁବାଇ , ଶାରଜା ଓ ଆବୁଧାବିରେ ସମସ୍ତ ମ୍ୟାଚ ଅନୁଷ୍ଠିତ ହେବ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ କର୍ମକର୍ତ୍ତା ଏମିରେଟ୍ସ କ୍ରିକେଟ ବୋର୍ଡ ସହ ଚୂଡାନ୍ତ ଆଲୋଚନା କରିବା ପରେ ଏହି ସୂଚନା ଦେଇଛନ୍ତି । ଆଇପିଏଲ ପରେ ୟୁନାଇଟେଡ ଆରବ ଏମିରେଟ୍ସରେ ଟି-୨୦ ବିଶ୍ବକପ୍‌ ଅନୁଷ୍ଠିତ ହେବା ପାଇଁ ଥିବା ବେଳେ ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ତାରିଖ ମଧ୍ୟରେ ଆଇପିଏଲର ବଳକା ମ୍ୟାଚ ଆୟୋଜନ କରିବା ପାଇଁ ତାରିଖ ଧାର୍ଯ୍ୟ କରା ଯାଇଛି ।

ସୂଚନା ଯୋଗ୍ୟ ଯେ ଚଳିତ ବର୍ଷ ଏପ୍ରିଲ ୯ ତାରିଖରେ ଆଇପିଏଲ ଆରମ୍ଭ ହୋଇଥିବା ବେଳେ ବିଭିନ୍ନ ଫ୍ରାଞ୍ଚାଇଜର କେତେକ ଖେଳାଳି କରୋନାରେ ଆକ୍ରାନ୍ତ ହେବା ଯୋଗୁ ମେ ୪ ତାରିଖ ଦିନ ଆଇପିଏଲ ସ୍ଥଗିତ ଘୋଷଣା କରାଯାଇଥିଲା । ଏହି ସମୟ ମଧ୍ୟରେ ୨୯ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ମ୍ୟାଚ ଅନୁଷ୍ଠିତ ହେବ । ଚଳିତ ବର୍ଷର ଦଶହରା ଅକ୍ଟୋବର ୧୫ ତାରିଖରେ ପାଳନ ହେବା ପାଇଁ ଥିବା ବେଳେ ଉକ୍ତ ଦିନ ହିଁ ଆଇପିଏଲ ସମାପ୍ତ ହେବ ।

ତେବେ ବ୍ୟସ୍ତ ବହୁଳ କାର୍ଯ୍ୟସୂଚୀ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନେଇ ବହୁ ସଂଖ୍ୟକ ବିଦେଶୀ ଖେଳାଳି ଆଇପିଏଲର ଅବଶିଷ୍ଟ ମ୍ୟାଚ ଖେଳିବା ପାଇଁ ଉପଲବ୍ଧ ହୋଇ ପାରିବେ ନାହିଁ ବୋଲି ସୂଚନା ମିଳିଥିବା ବେଳେ ବିସିସିଆଇ ସମସ୍ତ ବିଦେଶୀ ରାଷ୍ଟ୍ର କ୍ରିକେଟ ବୋର୍ଡ ସହ ଏହି ପ୍ରସଙ୍ଗ ନେଇ ଆଲୋଚନା କରିବ ବୋଲି ଜଣାପଡିଛି । ତେବେ ବିସିସିଆଇର ଜନୈିକ ପଦାଧିକାରୀ କହିଛନ୍ତି ଯେ ଅଳ୍ପ କିଛି ସଂଖ୍ୟକ ବିଦେଶୀ ଖେଳାଳି ଅନୁସ୍ଥିତ୍‌ ରହିବେ ବୋଲି ଅନୁମାନ । ତେବେ ସେମାନଙ୍କ ସ୍ଥାନରେ ଅନ୍ୟ ଖେଳାଳି ସାମିଲ କରିବା ନେଇ ପରବର୍ତ୍ତୀ ସମୟରେ ଆଲୋଚନା କରାଯିବ । ମାତ୍ର କେଉଁ ବିଦେଶୀ ଖେଳାଳି ଯୋଗଦେବେ ନାହିଁ ,ତାହା ସ୍ପଷ୍ଟ ହୋଇନି । ତେଣୁ ଆଗାମୀ ସମୟକୁ ଅପେକ୍ଷା କରା ଯାଇଛି । ପରେ ଏହି ପ୍ରସଙ୍ଗ ନେଇ ଚୂଡାନ୍ତ ଫଇସଲା କରାଯିବ ।

Leave a Reply

Your email address will not be published. Required fields are marked *