ରାଜ୍ୟ

କୋଭିଡ ଟିକା ନେବାପରେ ଡାକ୍ତରଙ୍କୁ କରୋନା

ରାଉରକେଲା : କରୋନା ଟିକା ନେବା ପରେ ମଧ୍ୟ ଜଣେ ଡାକ୍ତର କୋରନା ଆକ୍ରାନ୍ତ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ରାଉରକେଲାରେ । ଜଣେ ଡାକ୍ତର ଦୁଇ ଥର ଟିକା ନେବା ପରେ ମଧ୍ୟ କୋଭିଡ୍‌ରେ ଆକ୍ରାନ୍ତ ହୋଇଛନ୍ତି। ତେବେ ତାଙ୍କ ଶରୀରରେ କିଛି ସମସ୍ୟା ଦେଖାଯାଇ ନ ଥିଲେ ମଧ୍ୟ ସେ ଆଇସୋଲେସନରେ ଅଛନ୍ତି ।

ସୂଚନା ଅନୁଯାୟୀ, ରାଉରକେଲା ସରକାରୀ ଡାକ୍ତରଖାନାର ଜଣେ ଡାକ୍ତର ଦୁଇ ଦୁଇଥର ଟିକା ନେବା ପରେ ବି କରୋନା ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ୭୧ ବର୍ଷୀୟ ଡାକ୍ତର ସୟଦ ସୁଲେମାନ ଏବେ କରୋନା ଭୂତାଣୁ କବଳରେ । ଗତ ଜାନୁଆରୀ ୧୬ ତାରିଖରେ ପ୍ରଥମ ଏବଂ ଫେବ୍ରୁଆରୀ ୧୬ ତାରିଖରେ ଦ୍ୱିତୀୟ କୋଭିଡ୍ ଟିକା ନେଇଥିଲେ ସୟଦ।

ହେଲେ ମାର୍ଚ୍ଚ ତିନି ତାରିଖରେ ତାଙ୍କର କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିବା କହିଛନ୍ତି ସୟଦ ସୁଲେମାନ । କୋଭିଡ୍ ଚିହ୍ନଟ ହେବା ପରେ ଡାକ୍ତର ନିଜ ଘରେ ଆଇସୋଲେସନରେ ଅଛନ୍ତି । ଟିକାକରଣ ପରେ ଶରୀରର ୭୦ ପ୍ରତିଶତ ପ୍ରତିଷେଧକ ଶକ୍ତି ବଢିଥାଏ । ହେଲେ ବି ସଂକ୍ରମଣରୁ ରକ୍ଷା ପାଇଁ ନିଜେ ସଜାଗ ହେବା ସହ କୋଭିଡ୍ ଗାଇଡଲାଇନ୍ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର । କୋଭିଡରେ ଆକ୍ରାନ୍ତ ହୋଇଥିବା ଡାକ୍ତରଙ୍କ ପରିବାରର ସମସ୍ତ ସଦସ୍ୟଙ୍କର କୋଭିଡ୍ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *