ରାଜ୍ୟ

ଗ୍ରୀନ ଜୋନ୍‌ରେ ୯ ଜିଲ୍ଲା, ହୋଇପାରେ ଲକ୍‌ଡାଉନ୍ କୋହଳ

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣର ଦ୍ୱିତୀୟ ପର୍ଯ୍ୟାୟ ଏବେ ଧୀରେ ଧୀରେ ପ୍ରଭାବହୀନ ହେବାକୁ ଯାଉଛି। ଏହାକୁ ଆଖିରେ ରଖି ଦେଶର ବିଭିନ୍ନ ଅଞ୍ଚଳରେ ଅନ୍‌ଲକ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜଧାନୀ ଦିଲ୍ଲୀରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ଓଡ଼ିଶା ମଧ୍ୟ ଏନେଇ ଚିନ୍ତା କରୁଥିବା ଜଣାପଡ଼ିଛ। ବିଶେଷକରି ଗ୍ରୀନ୍ ଜୋନ୍‌ରେ ଥିବା ଜିଲ୍ଲାଗୁଡ଼ିକରେ ଜୀବନଯାତ୍ରା ଉପରେ ଲାଗିଥିବା କଟକଣା ସାମାନ୍ୟ କୋହଳ ହେବା ସମ୍ଭାବନା ଉଜ୍ଜଳ ହୋଇଛି। ଏହା ହେଲେ ରାଜ୍ୟ ସରକାର ୯ ଟି ଜିଲ୍ଲା ପାଇଁ କୋହଳ ନୀତି ଘୋଷଣା କରିପାରନ୍ତି। ମଙ୍ଗଳବାର ସୁଦ୍ଧା ଓଡ଼ିଶା ସରକାରଙ୍କ କୋଭିଡ୍ ଡ୍ୟାଶ୍ ବୋର୍ଡ ତଥ୍ୟ ଅନୁସାରେ ଝାରସୁଗୁଡ଼ା, ଦେବଗଡ଼, ସୋନପୁର, ବଲାଙ୍ଗୀର, ନୂଆପଡ଼ା, କନ୍ଧମାଳ, ଗଞ୍ଜାମ, ଗଜପତି ଏବଂ ମାଲକାନଗିରି ଜିଲ୍ଲାରେ ୧୦୦୦ରୁ କମ୍ ସଂଖ୍ୟକ ସକ୍ରିୟ କରୋନା ରୋଗୀ ଚିକିତ୍ସିତ ହେଉଛନ୍ତି। ଅର୍ଥାତ୍ ଏହି ଜିଲ୍ଲାଗୁଡ଼ିକୁ ଗ୍ରୀନ୍‌ ଜୋନ୍ ତାଲିକାମୁକ୍ତ କରାଯାଇଛି। ପୂର୍ବରୁ ଗଜପତି, ନୂଆପଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୦୦୦ରୁ କମ୍ ଥିବାରୁ ଏହି ଜିଲ୍ଲାଗୁଡ଼ିକରେ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍ କଟକଣା କୋହଳ କରାଯାଇଥିଲା। ନୂଆ ନିୟମ ଅନୁସାରେ ଏହି ଜିଲ୍ଲାଗୁଡ଼ିକରେ ଲକ୍‌ଡାଉନ୍ କଟକଣା ଦିନ ୧ଟା ଯାଏ କୋହଳ କରାଯାଇଥିଲା।

ଏଣୁ ଏବେ ସରକାର ଲକ୍‌ଡାଉନ୍ ନିୟମକୁ ସମୀକ୍ଷା କରିବା ବେଳେ ଏହି ଜିଲ୍ଲାଗୁଡ଼ିକରେ କଟକଣା କୋହଳ କରିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ପୂର୍ବରୁ ଲକ୍‌ଡାଉନ୍ ନିୟମ କୋହଳ କରାଯାଇଥିବା ତିନି ଜିଲ୍ଲା ଭିତରୁ ସୁନ୍ଦରଗଡ଼ରେ ପରିସ୍ଥିତି ପୁଣିଥରେ ବିଗିଡ଼ିଛି। ଏଠାରେ ଯଦିଓ ସଂକ୍ରମଣ ହାର ୨.୮୧ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି କିନ୍ତୁ ଏବେ ୩୨୭୭ ଜଣ ରୋଗୀ ଏବେ ଚିକିତ୍ସାଧୀନ ରହିଛନ୍ତି। ରାଜ୍ୟ ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁସାରେ ଏବେ ଯାଜପୁର ଜିଲ୍ଲାରେ ସର୍ବାଧିକ ପଜିଟିଭ୍ ହାର ରେକର୍ଡ଼ କରାଯାଇଛି। ଏଠାରେ ଯେତିକି ସନ୍ଦିଗ୍ଧ ପରୀକ୍ଷଣ କରାଉଛନ୍ତି ସେମାନଙ୍କ ଭିତରୁ ୨୨.୧୬% କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। କିନ୍ତୁ ଆଜି ଏହି ପଜିଟିଭ୍ ହାରରେ ସାମାନ୍ୟ କମିଥିବା ରେକର୍ଡ଼ କରାଯାଇଛି। ସେହିପରି ସଂକ୍ରଣ ହାର କମୁଥିବା ଜିଲ୍ଲାଗୁଡ଼ିକ ଭିତରେ ରାଜ୍ୟର ୧୮ଟି ଜିଲ୍ଲା ରହିଛି। ଏଗୁଡ଼ିକ ହେଲା: ଅନୁଗୁଳ, ବରଗଡ଼, ବଲାଙ୍ଗୀର, ବୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କନ୍ଧମାଳ, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ପୁରୀ, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲା।

Leave a Reply

Your email address will not be published. Required fields are marked *