ଅପରାଧରାଜ୍ୟ

ଦ୍ୱିତୀୟ ବିବାହ କରି ଜେଲ୍ ଗଲା ଯୁବକ

ନାକଟିଦେଉଳ : ପ୍ରେମ ମାନେନା ବାଧା ବନ୍ଧନ । ପ୍ରେମ ହିଁ ଜୀବନ । ଏଇ ପ୍ରେମ ପାଇଁ କିଏ ପାଗଳ ହୋଇଯାଇଛି ତ ଆଉ କାହାର ଜୀବନ ଯାଉଛି । ଏଇ ପ୍ରେମ ପାଇଁ ଆଉ କେହି ଜେଲ ଯାଉଛି । ଏଇ ପ୍ରେମ କିନ୍ତୁ ଅଲଗା । ପ୍ରଥମ ପ୍ରେମିକା ପତ୍ନୀକୁ ପ୍ରତାରଣା କରି ଅନ୍ୟତ୍ର ବିବାହ କରି ଶେଷରେ ଜେଲ ଯିବା ଭଳି ଘଟଣା ନାକଟିଦେଉଳ ଅଞ୍ଚଳରେ ଘଟି ବେଶ୍ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟୁହିଲାମାଳ ଗ୍ରାମର ନୀଳାବତୀ ମାଟିଆରୀ (୩୦)ନାମକ ଜନୈକା ଯୁବତୀ ଦେବଗଡ଼ ନିଯୁକ୍ତିମେଳାରେ ମନୋନୀତ ହୋଇ ଗୁଜୁରାଟରେ ଜିଏଚ୍‌ସିଏଲ୍ ନାମକ କମ୍ପାନୀରେ ୨୦୧୫ରେ ନିଯୁକ୍ତି ପାଇଥିଲେ । ନାକଟିଦେଉଳ ଥାନା ସରାପାଲି ପଞ୍ଚାୟତ ମାରଓାଡିମୁଣ୍ଡା ଗ୍ରାମର ସୁଧାଂଶୁ ଶେଖର ରାଉଳ ନାମକ (୩୨) ଜଣେ ଯୁବକ ନିଳାବତୀଙ୍କୁ ଗୁଜୁରାଟରେ କାମ କରିବାକୁ ପଚାରିବାରୁ ନୀଳାବତୀ ହଁ କରିଥିଲେ । ସୁଧାଂଶୁ ଗୁଜୁରାଟ ଚାଲିଯାଇ ଦି’ଜଣ ଏକାଠି ୨୦୧୭ରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏକାଠି ରହିଥିଲେ । ଏହା ଭିତରେ ସେମାନଙ୍କର ପୁତ୍ର ସନ୍ତାନଟିଏ ମଧ୍ୟ ଜନ୍ମ ହୋଇଥିଲା । ବର୍ତ୍ତମାନ ପିଲାଟିର ବୟସ ୨ବର୍ଷ । ସୁଧାଂଶୁ ନିଜର ପ୍ରେମିକା ପତ୍ନୀଙ୍କୁ କହିଥିଲେ, କେରଳ ଯାଉଛି ।

ସେଠାରେ ଅଧିକ ରୋଜଗାର ହେବ । ଏହା କହି ନିଜ ଗାଁ ମାରୱାଡିମୁଣ୍ଡାକୁ ପଳାଇ ଆସିଥିଲେ । ବିଶ୍ୱାସ ଜନ୍ମାଇବାକୁ ପ୍ରତିମାସରେ ସୁଧାଂଶୁ ପ୍ରେମିକା ପତ୍ନୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପଠାଉଥିଲା । ହେଲେ ଗତ ଏପ୍ରିଲ ଓ ମେ’ ମାସ ୨୦୨୧ରେ ପ୍ରେମିକା ପତ୍ନୀଙ୍କ ପାଖକୁ ଟଙ୍କା ନ ପଠାଇବାରୁ ତାଙ୍କ ମନରେ ସନ୍ଦେହ ଯାତ ହେଲା । ଗତ ମେ’ ୧୨ ତାରିଖରେ ସୁଧାଂଶୁ ପାତ୍ରପଡ଼ା ଅଞ୍ଚଳରେ ବିବାହ କରି ପକାଇଥିଲା । କୌଣସି ସୂତ୍ରରୁ ପୂର୍ବ ପ୍ରେମିକା ପତ୍ନୀ ଖବର ପାଇ ଗୁଜୁରାଟରୁ ଫେରିଆସି ଆଜି ନାକଟିଦେଉଳ ଥାନାକୁ ଆସି ଲିଖିତାକାରରେ ଅଭିଯୋଗ କଲା ପରେ ନାକଟିଦେଉଳ ଥାନାଧିକାରୀ ବିଧୂଭୂଷଣ ମିଶ୍ର ପ୍ରତାରକ ଯୁବକଙ୍କୁ ଥାନାକୁ ଆଣି ପଚରାଉଚୁରା କରିଥିଲେ । ଉଭୟଙ୍କୁ ପତ୍ନୀ ହିସାବରେ ରଖିବା ପାଇଁ ସୁଧାଂଶୁ ଅରାଜି ହେବାରୁ ନାକଟିଦେଉଳ ଥାନା କେସ୍ ନଂ୫୦/୨୧, ଧାରା ୪୯୩,୪୧୭, ୫୦୬ ଅନୁଯାୟୀ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଏପଟେ ୨ ବର୍ଷର ଛୋଟ ପୁଅଟି ଅନାଥ ହୋଇଯାଇଥିବାବେଳେ ସେପଟେ ନବବିବାହିତା ମହିଳାଙ୍କ ସ୍ୱାମୀ ଜେଲ ଯିବା ଘଟଣା ନାକଟିଦେଉଳ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ପ୍ରତାରିତା ମହିଳାକୁ ପୁଲିସ୍ ସ୍ୱାଧାର ଗୃହକୁ ପଠାଇଛି ।

Leave a Reply

Your email address will not be published. Required fields are marked *