ଦେଶ- ବିଦେଶ

ଆନ୍ଧ୍ର, ସିକ୍କିମ, ପଞ୍ଜାବରେ ଲକ୍‌ଡାଉନ ବଢ଼ିଲା

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ପଞ୍ଜାବ ସରକାର ନିଜ ରାଜ୍ୟରେ ଲଲକ୍‌ଡାଉନ ମିଆଦକୁ ବୃଦ୍ଧି କରିଛନ୍ତି । ଆନ୍ଧ୍ରରେ ଲକ୍‌ଡାଉନକୁ ଜୁନ ୨୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ମୁଖ୍ୟମନ୍ତ୍ରୀ ୱାଇ.ଏସ.ଜଗନ ମୋହନ ରେଡ୍ଡି ସୋମବାର ଘୋଷଣା କରିଛନ୍ତି । ତେବେ କର୍ଫ୍ୟୁ ସମୟକୁ ୨ ଘଣ୍ଟା କୋହଳ କରାଯାଇଛିି । ଅର୍ଥାତ କଟକଣା ଅପରାହ୍ଣ ୨ଟାରୁ ପରଦିନ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ମେ’ ୫ରୁ ରାଜ୍ୟରେ ଲକ୍‌ଡାଉନ ଆରମ୍ଭ ହୋଇଥିବାବେଳେ ଏହା ଜୁନ୍ ୧୦ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ ବୋଲି ପୂର୍ବରୁ ଘୋଷଣା କରାଯାଇଥିଲା । ସିକ୍କିମ ସରକାର ରାଜ୍ୟରେ ଲକ୍‌ଡାଉନକୁ ଆଉ ଏକ ସପ୍ତାହ ଅର୍ଥାତ ଜୁନ ୧୪ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପୂର୍ବରୁ ଘୋଷିତ ଲକ୍‌ଡାଉନ କଟକଣା ଜୁନ ୭ ସୁଦ୍ଧା ଶେଷ ହୋଇଥିଲା । ତେବେ ସଂକ୍ରମଣ ସ୍ଥିତି ସନ୍ତୋଷଜନକ ନ ହେବାଫଳରେ ଏହାକୁ ଆଉ ଏକ ସପ୍ତାହ ବୃଦ୍ଧି କରାଯାଇଛି । ଅପରପକ୍ଷରେ ପଞ୍ଜାବରେ ଲକ୍‌ଡାଉନକୁ ଜୁନ ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ପୂର୍ବ କଟକଣା ଜୁନ୍ ୧୦ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା । ତେବେ ରାଜ୍ୟ ସରକାର ଏହି ପର୍ଯ୍ୟାୟ ଲକ୍‌ଡାଉନରେ କେତେକ କଟକଣାକୁ କୋହଳ କରିଛନ୍ତି । ଦୋକାନ ବଜାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲାରହିବ ଏବଂ ୫୦ ପ୍ରତିଶତ କର୍ମଚାରୀ ସହ ଘରୋଇ କାର୍ଯ୍ୟାଳୟଗୁଡିକ କାର୍ଯ୍ୟ କରିବ ବୋଲି ଜଣାପଡିଛି । ବିବାହ, ବ୍ରତ ଓ ଅନ୍ୟ ସାମାଜିକ ଅନୁଷ୍ଠାନରେ ଅତିଥିଙ୍କ ସଂଖ୍ୟା ୨୦କୁ ବୃଦ୍ଧି କରାଯାଇଛି ।

Leave a Reply

Your email address will not be published. Required fields are marked *