ରାଜ୍ୟ

ମାଓବାଦୀଙ୍କ ବର୍ବର କାଣ୍ଡ : ପୁଲିସ ଇନଫର୍ମର ସନ୍ଦେହରେ ମାରିଦେଲେ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଆନ୍ଧ୍ରପ୍ରଦେଶର ବିଶାଖାପାଟଣମ୍ ଜିଲ୍ଲା ଅନ୍ତର୍ଗତ ଜିକେ ଦେବୀ ମଣ୍ଡଲମରେ ମାଓବାଦୀମାନେ ବର୍ବର କାଣ୍ଡ ଘଟାଇଛନ୍ତି । ପୁଲିସ ଇନଫର୍ମର ସନ୍ଦେହରେ ଜଣେ ନିରୀହ ଲୋକଙ୍କୁ ମାଓବାଦୀମାନେ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି । ଘଟଣା ପରେ ସେମାନେ ଫେରାର ହୋଇଯାଇଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି ରାତିରେ କୋଥାପାଲେମ ଗାଁ’ରେ ପ୍ରାୟ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ ପହଞ୍ଚିଥିଲେ ।

ଗାଁ’କୁ ଚାରିପଟୁ ଘେରିବା ସହ ସେମାନେ କୋରା ନାମକ ଜଣେ ବ୍ୟକ୍ତିକୁ ଖୋଜିଥିଲେ । ଗ୍ରାମର କିଛି ଲୋକଙ୍କୁ ରାତିରେ ନିଦରୁ ଉଠାଇ କୋରା ଘର ଦେଖାଇବା ପାଇଁ କହିଥିଲେ । ଗ୍ରାମବାସୀଙ୍କ ସାମ୍ନାରେ କୋରାକୁ ଘରୁ ଟାଣି ଆଣି ପ୍ରଥମେ ପରିବାର ଲୋକଙ୍କ ଆଗରେ ହିଁ ନିର୍ଦ୍ଧୁମ ପିଟିଥିଲେ । ପୁଲିସ ଇନଫର୍ମର ଦର୍ଶାଇ ତାକୁ ଧାରୁଆ ଅସ୍ତ୍ର ସାହାଯ୍ୟରେ ପ୍ରଥମେ ଦେହସାରା କ୍ଷତ କରିଥିଲେ । ପରେ ଗୁଳି କରି କୋରାକୁ ହତ୍ୟା କରିଥିଲେ । ହତ୍ୟା ପରେ ଶବକୁ ଗ୍ରାମର ଶେଷ ମୁଣ୍ଡରେ ଫିଙ୍ଗି ଦେଇ ଚାଲିଯାଇଥିଲେ ।

ଖବର ପାଇ ଆଜି ସକାଳେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୀମାନ୍ତ ଆନ୍ଧ୍ରରେ ପୁଣି ନକ୍ସଲ ନିଜର ପତିଆରା ଜାହିର କରିଛନ୍ତି । ନିରୀହ ଲୋକଙ୍କୁ ପୁଲିସ ଇନଫର୍ମର ଦର୍ଶାଇ ହତ୍ୟା କରୁଛନ୍ତି । ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଏବେ କୋକୂଆ ଭୟ ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *