ରାଜ୍ୟ

ଉଠାଦୋକାନୀଙ୍କୁ କରୋନା ଚିନ୍ତା, ତାଲା ବନ୍ଦଯୋଗୁଁ ଋଣ ବୋଝରେ କ୍ଷୁଦ୍ର ବ୍ୟବସାୟୀ

ରାୟଗଡା : କିଏ ବ୍ୟାଙ୍କରୁ ଋଣ ଆଣି ପନିପରିବା ବିକୁଛି ତ ପୁଣି ଆଉ କିଏ ସାହୁକାରଙ୍କ ଠାରୁ ହାତ ଉଦ୍ଧାର ଆଣି ରାସ୍ତାକଡ଼ରେ ଉଠା ଦୋକାନଟିଏ କରିଛି । ହେଲେ ମହାମାରୀ କରୋନା ଯୋଗୁଁ ରାୟଗଡା ସହର ଦୀର୍ଘ ଦିନ ଧରି ତାଲା ବନ୍ଦ ଯୋଗୁଁ ବ୍ୟବସାୟରେ ପଡିଛି ତାଲା । ଫଳରେ ଗୋଟିଏପଟେ ପରିବାର ପ୍ରତିପୋଷଣ ପାଇଁ ତେଲଲୁଣ ଯୋଗାଡ଼ ହୋଇପାରୁନଥିବା ବେଳେ ବ୍ୟାଙ୍କ ଏବଂ ସାହୁକାରଙ୍କ ଋଣ ବୋଝ ଛୋଟ ଛୋଟ ଉଠା ଦୋକାନୀଙ୍କ ଚିନ୍ତା ବଢାଇ ଦେଇଛି । ଯେଉଁମାନେ ସରକାରୀ ଯୋଜନାରୁ ବ୍ୟାଙ୍କ ମାଧ୍ୟମରେ ଋଣ ପାଇଛନ୍ତି ସେମାନେ ମଧ୍ୟ ହକ୍ ସମୟରେ ମାସିକ କିସ୍ତି ବାନ୍ଧି ପାରୁନାହାନ୍ତି । ଏପଟେ ବ୍ୟାଙ୍କଗୁଡିକ ମଧ୍ୟ ଋଣ ଆଦାୟରେ ନଛୋଡ ବନ୍ଧା ନୀତିରେ ନୟାନ୍ତ ହେଉଛନ୍ତି ଏହି ଉଠାଦୋକାନୀମାନେ । ଏପଟେ ତାଲା ବନ୍ଦ ଯୋଗୁ ରୋଜଗାର ଆଭାବ ସେପଟେ ମହଙ୍ଗା ବଜାର ଯୋଗୁଁ ତେଲ ଲୁଣର ସଂସାର ଚାଲିବା କଷ୍ଟକର ହୋଇପଡିଛି । ଏପରି ମହାବିପତ୍ତି ସମୟରେ ଛୋଟ ଛୋଟ ବ୍ୟବସାୟୀ ଋଣ ପାଇଁ ପୌରପରିଷଦ ଓ ବ୍ୟାଙ୍କକୁ ଋଣ ପାଇଁ ଧାଇଁ ଧାଇଁ ନୟାନ୍ତ ହେଉଥିବା ବେଳେ ସେମାନଙ୍କୁ ଋଣ ମିଳୁନଥିବା ବେଳେ ଯେଉଁ ମାନେ ହାତ ଚାଲିଲେ ପେଟ ପୋଷିବା ନ୍ୟାୟରେ ରୁଣ ନେଇଛନ୍ତି ତାକୁ ସୁଝିବାକୁ ନାକେଦମ ହେଉଥିବା ଅଭିଯୋଗ ହୋଇଛି ।

ରାୟଗଡ଼ା ସହରର ଶାରଳା ଛକ ରାସ୍ତା କଡରେ ଆଳୁ, ପିଆଜ ଓ ଟମାଟୋ ବିକ୍ରିକରି ପରିବାର ପ୍ରତିପୋଷଣ କରୁଥିବା ଭିନ୍ନକ୍ଷମ ଅଭିରାମ୍ ଭୋଇଙ୍କ ଦୁଃଖ ଏବେ କହିଲେ ନସରେ । ୫୨ବର୍ଷୀୟ ଏହି ଦିବ୍ୟାଙ୍କ ଅଭିରାମ୍ ଭୋଇ ଛୋଟ ବ୍ୟବସାୟ ପ୍ରଧାନମନ୍ତ୍ରୀ ଉଠା ଦୋକାନୀ ଆତ୍ମନିର୍ଭର ନିଧି ଯୋଜନାରେ ପାଇଁ ପୌରପରିଷଦ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି ହେଲେ ଏଯାଏଁ ତାଙ୍କୁ ପୌରପରିଷଦ ସହାୟତାରେ ବ୍ୟାଙ୍କ ପକ୍ଷରୁ ଋଣ ମିଳୁନାହିଁ । ଗତ ୨୦୨୦ ମସିହାରୁ ରାୟଗଡା ସହରରେ ଏହି ଯୋଜନା ମାଧ୍ୟମରେ ପ୍ରାୟ ୧୯୨ ଜଣ ଉଠା ବ୍ୟବସାୟୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ବିଭିନ୍ନ ବ୍ୟାଙ୍କ ମାଧ୍ୟମରୁ ଋଣ ମିଳିଥିବା ବେଳେ ସେ ଏହି ଯୋଜନାରୁ ବାଦ୍ ପଡିଛନ୍ତି। ଏଭଳି ପରିସ୍ଥିତିରେ ସେ ତାଙ୍କ ବ୍ୟବସାୟକୁ କିପରି ଆଗକୁ ନେବେ ଆଉ ପରିବାରକୁ ପ୍ରତିପୋଷଣ କରିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ।

କେବଳ ଅଭିରାମ୍ ଭୋଇ ନୁହନ୍ତି ତାଙ୍କ ଭଳି ଅନେକ ଋଣଟିଏ ପାଇଁ ନୟାନ୍ତ ହେଉଥିବା ବେଳେ ଯେଉଁମାନେ ପ୍ରଧାନମନ୍ତ୍ରୀ ଉଠାଦୋକାନୀ ଆତ୍ମନିର୍ଭର ନିଧି ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ବ୍ୟାଙ୍କ ଋଣ ପାଇଛନ୍ତି ସେମାନେ ମଧ୍ୟ ଏବେ ୠଣ ସୁଝିବାପାଇଁ ହରଡ଼ଘଣାରେ ପଡିଛନ୍ତି । କରୋନା କାଳରେ ଦୋକାନ ବଜାର ବନ୍ଦ ଓ ମନ୍ଦା ବ୍ୟବସାୟ ଯୋଗୁଁ ଦୁଇ ପଇସା ରୋଜଗାର ହୋଇପାରୁନି । ଅନ୍ୟପଟେ ବିଭିନ୍ନ ବ୍ୟାଙ୍କରୁ ଆଣିଥିବା ଋଣକୁ କିସ୍ତି ଅନୁଯାୟୀ ବ୍ୟାଙ୍କ ଖାତାରୁ କଟିଯାଉଛି ବୋଲି କହିଛନ୍ତି ଛୋଟ ବ୍ୟବସାୟୀ ଦିଲ୍ଲୀପ ମହାନ୍ତି ଓ ରାମ ବାବୁ । କେବଳ ଏମାନେ ନୁହନ୍ତି ସାଧାରଣ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ଉପରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଛି । ଗତବର୍ଷ ମହାମାରୀ ସମୟରେ ସରକାରଙ୍କ ନିର୍ଦେଶକ୍ରମେ ବିଭିନ୍ନ ବ୍ୟାଙ୍କ ପ୍ରତିଷ୍ଠାନ ଋଣ କିସ୍ତିକୁ ବନ୍ଦ କରିଦେଇଥିଲେ ।

କିନ୍ତୁ ଚଳିତ ବର୍ଷ କରୋନା ଉଗ୍ରରୂପ ନେଇଥିବା ସତ୍ତ୍ୱେଋଣ କିସ୍ତି ବ୍ୟାଙ୍କ ଖାତାରୁ କଟି କଟି ଯାଉଛି । ଅନେକ ସାଧାରଣ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଘର ନିର୍ମାଣ,ପରିବହନ ପାଇଁ ଚାରଚକିଆ ଯାନ ସହ ମୁଦ୍ରା ଋଣ ନେଇଛନ୍ତି । କିନ୍ତୁ ବର୍ତ୍ତମାନ ଗାଡି ଚଳାଚଳ ବନ୍ଦ ଓ ବ୍ୟବସାୟ ପ୍ରାୟ ବନ୍ଦ ଯୋଗୁଁ ନିୟମିତ ଭାବେ ମାସିକିଆ କିସ୍ତି ପରିଶୋଧ କରିପାରୁନାହାନ୍ତି । ଯାହାଫଳରେ ରାଷ୍ଟ୍ରାୟତ ବ୍ୟାଙ୍କ ଓ ବିଭିନ୍ନ ଫାଇନାନ୍ସ କମ୍ପାନୀ ଆଡୁ ବାରମ୍ବାର କିସ୍ତି ବାନ୍ଦିବାକୁ ବାଧ୍ୟ କରାଯାଉଛି । ଏଭଳି ପରିସ୍ଥିତିରେ ସାଧାରଣ ଲୋକେ କଣ କରିବେ ତାକୁ ନେଇ ଚିନ୍ତାରେ ପଡିଥିବା ବେଳେ କରୋନାର ପ୍ରଥମ ଲହରୀରେ ଯେପରି ଅନିର୍ଦ୍ଦିଷ୍ଟକାଳ ପାଇଁ ବ୍ୟାଙ୍କ ପ୍ରତିଷ୍ଠାନ କିସ୍ତି ନେବାର ବନ୍ଦ କରିଥିଲା ଠିକ୍ ସେପରି ବ୍ୟବସ୍ଥା କରାଯାଉ ବୋଲି ସାଧାରଣରେ ଦାବି ହୋଇଛି ।

Leave a Reply

Your email address will not be published. Required fields are marked *