ରାଜ୍ୟ

ଦୈନିକ ୧ କୋଟି ଲୋକଙ୍କୁ ଟିକାକାରଣ କରାଯାଉ

ନବରଙ୍ଗପୁର: କୋଭିଡ୍‌ର ଭୟାବହତାକୁ ଲକ୍ଷ୍ୟ କରି ଦୈନିକ ୧କୋଟି ଲୋକଙ୍କୁ କୋଭିଡ ଟିକାକାରଣ କରାଯାଉ । ଏ ନେଇ ଏକ ଦାବିପତ୍ର କଂଗ୍ରେସ ପକ୍ଷରୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଛି । ପ୍ରତ୍ୟେକ ଭାରତୀୟ ନାଗରିକଙ୍କୁ ଦେୟମୁକ୍ତ ଟିକାକାରଣ କରାଯାଉ । କେନ୍ଦ୍ର ସରକାରଙ୍କ ଖାମଖିଆଲି ମନୋଭାବ ଯୋଗୁ ଭାରତୀୟ ମାନେ କରୋନାରେ ଛଟପଟ ହେଉଛନ୍ତି । ଏଭଳି ସଙ୍କଟ ସମୟରେ କେନ୍ଦ୍ର ସରକାରଙ୍କ ଟିକାକରଣ ନୀତି ବିଫଳ ହୋଇଛି ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ଟିକାକରଣ ବ୍ୟବସ୍ଥାର ଭିନ୍ନ ଭିନ୍ନ କମ୍ପାନୀର ଟିକା ସେରମ ଇନ୍‌ଷ୍ଟିଟ୍ୟୁକର ଟିକା କୋଭିସିଲଡ୍ ଓ ଭାରତ ବାୟୋଟେକର ଟିକା କୋଭାକ୍‌ସିନ ଏକ ଡୋଜର ଦାମ କେନ୍ଦ୍ର ସରକାର ୧୫୦/-ଟଙ୍କାରେ କିଣୁଥିବାବେଳେ ରାଜ୍ୟ ସରକାର ସେହି ଡୋଜ୍ ପ୍ରତି ୩ଶହ ଟଙ୍କାରେ ଓ ବେସରକାରୀ ହସ୍ପିଟାଲରେ ଡୋଜ ପ୍ରତି ୬ଶହ ଟଙ୍କାରେ କିଣିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । କେନ୍ଦ୍ର ସରକାର ଲୋକଙ୍କୁ ମାଗଣାରେ ଟିକାଦେବା ପରିବର୍ତ୍ତେ କୋଭିଡ୍ ଟିକାର ବ୍ୟବସାୟକରଣ ଅତ୍ୟନ୍ତ ପୀଡା଼ଦାୟକ । ୨୦୨୦ ମେ\’ ମାସରେ ଅନ୍ୟଦେଶମାନେ ଟିକା କିଣିଥିବାର ବ୍ୟବସ୍ଥା କରିଥିବାବେଳେ କେନ୍ଦ୍ରର ମୋଦୀ ସରକାର ୨୦୨୧ ଜାନୁଆରିରେ ଟିକା କିଣିବାର ପ୍ରୟାସ କରିବା ଖାମଖିଆଲ ମନୋଭାବର ଜ୍ୱଳନ୍ତ ଉଦାହରଣ ଅଟେ ବୋଲି କଂଗ୍ରେସ କହିଛି ।

୧୪୦ କୋଟି ଭାରତୀୟଙ୍କ ଲାଗି ଆଜିସୁଦ୍ଧା କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ରୂପେ ୩୯ କୋଟି ଟିକାର ବରାଦ କରିବା ଉଭୟ ସରକାରଙ୍କ ପାରିବାପଣିଆ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି କ୍ଷ ୩୧ ମେ\’ ୨୦୨୧ ପର୍ଯ୍ୟନ୍ତ ସମଗ୍ର ଦେଶରେ ୨୧ କୋଟି ୩୧ ଲକ୍ଷ ଲୋକ ଟିକା ନେଇଥିବା ବେଳେ ୪ କୋଟି ୪୫ ଲକ୍ଷ ଲୋକ କେବଳ ୨ ଡୋଜ୍ ଟିକା ନେଇଛନ୍ତି ଯାହାକି ସାରା ଦେଶର ଜଣସଂଖ୍ୟାର ମାତ୍ର ୩. ୧୭ % ଅଟେ । ଦୈନିକ ୧୬ଲକ୍ଷ ଲୋକ ଟିକା ନେଉଥିବାବେଳେ ଯଦି ଏଭଳି ଅବସ୍ଥା ସମଗ୍ର ଦେଶରେ ଜାରି ରହିବ ତେବେ ୧୪୦ କୋଟି ଲୋକଙ୍କୁ ଟିକାକରଣ କରିବା ପାଇଁ ୩ ବର୍ଷ ଲାଗିଯିବ । ଏହି ସମୟ ଅବଧି ମଧ୍ୟରେ ଆମେ ଲକ୍ଷ ଲକ୍ଷ ନାଗରିକଙ୍କୁ ହରେଇବା ସହ କୋଟିକୋଟି ନାଗରିକଙ୍କୁ କରୋନା କବଳିତ କରି ସାରିଥିବ । ଦେଶର ପରିଣତି ଆହୁରି ଭୟାବହ ହେବା ସହିତ ଦେଶ ଓ ରାଜ୍ୟର ଅବସ୍ଥା ଅନିୟନ୍ତ୍ରିତ ହୋଇ ପଡ଼ିଥିବ ବୋଲି କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି । ତେଣୁ କାଳବିଳମ୍ବ ନ କରି କେନ୍ଦ୍ର ସରକାର ଟିକା କିଣି ମୁକ୍ତରେ ରାଜ୍ୟ ଓ ବେସରକାରୀ ହସ୍ପିଟାଲକୁ ଦେବାକୁ କଂଗ୍ରେସ ପକ୍ଷରୁ ଦାବିକରାଯାଇଛି । ଚଳିତ ବର୍ଷ ଡିସେମ୍ବର ୩୧ ତାରିଖ ପୂର୍ବରୁ ସମସ୍ତ ୧୮ ବର୍ଷରୁ ଉର୍ଦ୍ଧ୍ୱ ନାଗରିକଙ୍କୁ ଟିକାକରଣ କରାଯାଉ ବୋଲି କଂଗ୍ରେସ ଦାବି କରିଛି ।

ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଉକ୍ତ ଦାବିପତ୍ର ଦେବା ସମୟରେ ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସରୋଜ କୁମାର ପାତ୍ର, ଡିସିସି ପ୍ରେସିଡେଣ୍ଟ ମୁନା ତ୍ରିପାଠୀ,ଉପସଭାପତି ଦିଲ୍ଲୀପ କୁମାର ବେହେରା, ଡିସିସି ସାଧାରଣ ସମ୍ପାଦକ ପ୍ରଦୀପ ସାହୁ, ନଗର କଂଗ୍ରେସ ସଭାପତି ଉତ୍ତମ ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ମୁଖ୍ୟପାତ୍ର ତଥା ଦକ୍ଷିଣ ଓଡିଶା ସୋସିଆଲ ମିଡ଼ିଆ ପ୍ରଭାରୀ ସୁମିତ ପୁଜାରି, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ପ୍ରଫୁଲ୍ଲ ପଣ୍ଡାଙ୍କ ସମେତ କଂଗ୍ରେସ ନେତା କୁନା ପାଢ଼ୀ, ସଞ୍ଜୟ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଦାବିପତ୍ରକୁ ଅତିରିକ୍ତ ଜିଲ୍ଲାପାଳ ରତ୍ନାକର ସାହୁ ଗ୍ରହଣ କରିବା ସହ ପଠାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେବେ ବୋଲି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *