ରାଜ୍ୟ

୨୪ କର୍ମଚାରୀଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ

ପୁରୀ (ବସନ୍ତ ଦାସ) : ବାତ୍ୟା ୟାସ ମୁକାବିଲା ଲାଗି ସମସ୍ତ କର୍ମଚାରୀ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ । ମାତ୍ର ଗୋପ ତହସିଲ ଓ ନିମାପଡ଼ା ବ୍ଲକରେ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ବାତ୍ୟା ସଂପର୍କରେ ସମୀକ୍ଷା କରିବାକୁ ମନ୍ତ୍ରୀ ଗତକାଲି ସନ୍ଧ୍ୟା ସମୟରେ ଗୋପ ତହସିଲ କାର୍ଯ୍ୟାଳୟରେ ପହଞ୍ଚିବା ବେଳେ ତହସିଲର ୧୬ଜଣ କର୍ମଚାରୀ ଅନୁପସ୍ଥିତ ଥିବା ଜାଣିବାକୁ ପାଇଥିଲେ । ସେମାନଙ୍କର ଦରମା ବନ୍ଦ କରିବା ସହିତ କାରଣ ଦର୍ଶାଅ ନୋଟିସ ଦେବାକୁ ତହସିଲଦାର ସୁଭାସିସ ପାଲଟାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତିନି ଦିନ ମଧ୍ୟରେ ସନ୍ତୋଷ ଜନକ ଉତ୍ତର ଦେବାକୁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

ସେହିପରି ମନ୍ତ୍ରୀ ସମୀର ରଞ୍ଜନ ଦାସ ନିମାପଡ଼ା ବ୍ଲକରେ ଅଚାନକ ଗସ୍ତ କରି ବ୍ଲକରେ ଆଠ ଜଣ କର୍ମଚାରୀ ଅନୁପସ୍ଥିତ ଥିବା ଜାଣି ସେମାନଙ୍କର ଦରା ବନ୍ଦ କରିବା ସହିତ କାରଣ ଦର୍ଶାଅ ନୋଟିସ ଜାରି କରିବାକୁ ବିଡ଼ିଓ ମନୋଜ ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବାତ୍ୟା ସମୟରେ କର୍ମଚାରୀମାନେ କାହା ନିର୍ଦ୍ଦେଶରେ ଅନୁପସ୍ଥିତ ରହିଛନ୍ତି ସନ୍ତୋଷ ଜନକ ଉତ୍ତର ତିନି ଦିନ ମଧ୍ୟରେ ଦେବାକୁ ବିଡ଼ିଓ ମନୋଜ ବେହେରାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପରେ ମନ୍ତ୍ରୀ ଚନ୍ଦ୍ରଭାଗା ନୋଳିଆ ସାହି ଓ ଚାରି ଛକ ଅଞ୍ଚଳ ଗସ୍ତ କରି ବାତ୍ୟା ଆଶ୍ରୟ ସ୍ଥଳୀରେ ଆଶ୍ରୟ ନେଇଥିବା ବିପନ୍ନ ମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦେବାକୁ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଭୋଦର ପଞ୍ଚାୟତ ସଭାପତି ପ୍ରଶାନ୍ତ ବେହେରା ବିଜେଡି ନେତା ମହେନ୍ଦ୍ର ନାୟକ ସୁରେନ୍ଦ୍ର ନାୟକ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *