ରାଜ୍ୟ

ବାତ୍ୟା ମୁକାବିଲା ପାଇଁ ପୂରା ପ୍ରସ୍ତୁତ ପ୍ରଶାସନ

ଭୁବନେଶ୍ୱର: ହାତରେ ଆଉ ମାତ୍ର କେଇ ଘଣ୍ଟା ସମୟ। ଓଡ଼ିଶା ମାଟିକୁ ଛୁଇଁବ ବାତ୍ୟା ୟାସ୍। ସବୁ ଆକଳନ ସତ୍ତ୍ୱେ, ଏହା ପ୍ରକୃତରେ କେଉଁଠି ତାଣ୍ଡବ ରଚିବ, କେତେ କ୍ଷୟକ୍ଷତି କରିବ, ଏବେଠୁ କିଛିବି ସଠିକ୍ ଭାବେ କହିବା ମୁସ୍କିଲ୍। ତେବେ ବାତ୍ୟା ପରେ ସ୍ଥିତି ଯେତେ ବିଗିଡ଼ିଥାଉ ନା କାହିଁକି, ବିପନ୍ନଙ୍କୁ ଉଦ୍ଧାର କରିବା ପାଇଁ ଓ ଜନଜୀବନକୁ ଯଥାଶୀଘ୍ର ସ୍ୱାଭାବିକ କରିବା ପାଇଁ ପୂରା ତତ୍ପର ଓ ତୟାର୍ ଅଛନ୍ତି ଦୃଢ଼ନିଶ୍ଚିତ ଦେବଦୂତମାନେ। ଏନଡ଼ିଆରଏଫ୍‌, ଓଡ୍ରାଫ୍, ପୋଲିସ, ଅଗ୍ନିଶମ ଓ ବନ ବିଭାଗ ପକ୍ଷରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ବାତ୍ୟା ଆଗରୁ କେଉଁଠି ସତର୍କ କରୁଛନ୍ତି, ତ କେଉଁଠି ସ୍ଥାନାନ୍ତରଣ ବି କରାଯାଉଛି। ହେଲେ ଉଦ୍ଧାରକାରୀଙ୍କ ପାଇଁ ବାତ୍ୟା ପରେ ହିଁ ବଡ଼ ଚ୍ୟାଲେଞ୍ଜ ରହିବ। ରେସ୍କ୍ୟୁ, ରିଷ୍ଟୋରେସନ୍ ଓ ରିଲିଫ କାର୍ଯ୍ୟକୁ କେମିତି ସୁରକ୍ଷିତ ଭାବରେ କରାଯିବ ସେନେଇ ସ୍ୱତନ୍ତ୍ର ଧ୍ୟାନ ବି ଦିଆଯାଇଛି। ବାତ୍ୟା ପରେ ପରେ ସମୟ ବିରୋଧରେ ଲଢ଼ି, ବିପନ୍ନଙ୍କୁ ଉଦ୍ଧାର କରିବା ଓ ପ୍ରଭାବିତ ଅଞ୍ଚଳରେ ଜୀବନଯାତ୍ରା ସ୍ୱାଭାବିକ କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ରହିବ। ସେଥିପାଇଁ ମଣିଷ ତୟାର୍, ଆଉ ମେସିନ୍ ବି ତୟାର ରହିଛି। କେନ୍ଦୁଝର ଓ ନୀଳଗିରିରେ NDRF ଟିମ୍ କଟର୍ ସମେତ ବିଭିନ୍ନ ପ୍ରକାର ଆଧୁନିକ ହତିଆର ଧରି ପ୍ରସ୍ତୁତ ଅଛନ୍ତି। ବାତ୍ୟା ପରେ ରାସ୍ତାରୁ ଭାଙ୍ଗି ପଡ଼ିଥିବା ଗଛ ହଟାଇବା ପାଇଁ ନୀଳଗିରି ପୂର୍ତ୍ତବିଭାଗ ପକ୍ଷରୁ ଜେସିବି ଓ ଟ୍ରାକ୍ଟର ପ୍ରସ୍ତୁତ ରଖାଯାଇଛି। କେବଳ ଓଡ଼ିଶା ନୁହେଁ, ୟାଶ୍ ମୁକାବିଲା ପାଇଁ ୫ଟି ତଟବର୍ତ୍ତୀ ରାଜ୍ୟ ଓ ଆଣ୍ଡାମାନ ନିକୋବରରେ ୧୧୨ଟି NDRF ଟିମ୍ ମୁତୟନ ହୋଇଛନ୍ତି। ଯେଉଁଥିରୁ ସର୍ବାଧିକ ପ୍ରଭାବିତ ହେବାକୁ ଥିବା ଓଡ଼ିଶାରେ ୫୨ ଓ ପଶ୍ଚିମବଙ୍ଗକୁ ୪୬ଟି ଟିମ୍ ଯାଇଛି। NDRF ଡିଜି କହିଛନ୍ତି, ଯବାନମାନେ ୨ ଡୋଜ୍ ଲେଖାଏଁ କରୋନା ଟିକା ନେଇସାରିଛନ୍ତି ଏବଂ ରିସ୍କକୁ ନଜରରେ ରଖି ସମସ୍ତ ପ୍ରକାର ପ୍ରସ୍ତୁତି ହୋଇଛି। ପ୍ରତ୍ୟେକ ଟିମକୁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ସାଧନ ଯୋଗାଇ ଦିଆଯାଇଛି। ଏପଟେ ବାତ୍ୟା ମୁକାବିଲା ପାଇଁ ଭାରତୀୟ ନୌସେନା ବି ପୂରା ପ୍ରସ୍ତୁତ ଥିବା INS ଚିଲିକାର କମାଣ୍ଡିଂ ଅଫିସର ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *