ରାଜନୀତିରାଜ୍ୟ

ସ୍ୱାସ୍ଥ୍ୟ ସେବା ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡା : ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଝାରସୁଗୁଡ଼ା ଜିଲ୍ଲାର କୋଭିଡ଼ ଚିକିତ୍ସା ଓ ଆଗାମୀ ପଦକ୍ଷେପ ନେଇ ଭରଚୁଆଲ  ମୋଡ଼ରେ ସମୀକ୍ଷା କରିଛନ୍ତି । ଜିଲ୍ଲାରେ କୋଭିଡ଼ ପଜିଟିଭ୍ ସଂଖ୍ୟା, ହସ୍ପିଟାଲରେ ଥିବା ରୋଗୀ, ହୋମ ଆଇସୋଲେସ୍‌ରେ ଥିବା ରୋଗୀ, ସୁସ୍ଥ ହୋଇ ଫେରିଥିବା ରୋଗୀଙ୍କ ସଂଖ୍ୟା ତଥା ସଂକ୍ରମଣ ହାର, ମୃତ୍ୟୁ ହାର ସମୀକ୍ଷା କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ l ସେହିପରି ଆଣ୍ଟିଜେନ୍ ଓ ଆରଟିପିସିଆର ଟେଷ୍ଟ ସଂଖ୍ୟା, କୋଭିଡ଼୍ ଚିକିତ୍ସା ପାଇଁ କେତେ ସଂଖ୍ୟାରେ ରେମେଡ଼ିସିଭର ଓ ଫେବି-ଫ୍ଲୁ ଔଷଧ ମିଳିଛି ଓ ଖର୍ଚ୍ଚ ହୋଇଛି, କୋଭିଡ଼ ହସ୍ପିଟାଲ ଓ ସିସିସି ଠାରେ ଶଯ୍ୟା ସଂଖ୍ୟା, ଆଇସିୟୁ, ଭେଟିଂଲେଟର ଓ ଅକ୍ସିଜେନ୍ ସଂପର୍କରେ ସବିଶେଷ ଆଲୋଚନା କରିବା ସହିତ ଚିକିତ୍ସା ପାଇଁ ଷ୍ଟାଫ, ଦାୟିତ୍ବରେ ଥିବା ନର୍ସ ସଂଖ୍ୟା, ନିଯୁକ୍ତି ଓ ବଦଳି ହୋଇଥିବା ଅଧିକାରୀଙ୍କ ମଧ୍ୟରୁ କେତେ ଜଣ କାର୍ଯ୍ୟରେ ଯୋଗ ଦେଇଛନ୍ତି ସେ ନେଇ ମଧ୍ୟ ଆଲୋଚନା କରିଛନ୍ତି ।   ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ କୋଭିଡ଼ ହସ୍ପିଟାଲରେ ନୂତନ ଭାବରେ ୨୦ଟି ଭେଣ୍ଟିଲେଟର ସଂଯୋଗ ସହ ସମସ୍ତ ଶଯ୍ୟା ନିକଟରେ ଅକ୍ସିଜେନ୍ ବ୍ୟବସ୍ଥା ନିଶ୍ଚିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ଦାସ ନିର୍ଦ୍ଦେଶ ଦେଇଥିଲେ । ବନ୍ଧବାହାଲଠାରେ ଜୁନ୍ ମାସ ପ୍ରଥମ ସପ୍ତାହ ସୁଦ୍ଧା ସମ ହସ୍ପିଟାଲ ସହ ବୁଝାମଣା ପତ୍ର ସ୍ବାକ୍ଷର କରି ଜୁନ୍ ମାସ ୧୫ ତାରିଖ ସୁଦ୍ଧା କୋଭିଡ଼ ହସ୍ପିଟାଲ କାର୍ଯ୍ୟକ୍ଷମ ନିମନ୍ତେ ତଥା ଭିତିଭୂମି ଓ କର୍ମଚାରୀ ମୁତୟତ ସହିତ ଆନୁସଙ୍ଗିକ ବ୍ୟବସ୍ଥା ନିମନ୍ତେ ସମ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଛନ୍ତି ଶ୍ରୀ ଦାସ । ସେହିପରି ଝାରସୁଗୁଡ଼ା ଠାରେ ଗୋଟିଏ ନୂଆ ଆର୍‌ଟିପିସିଆର୍ ଟେଷ୍ଟ ମେସିନ୍‌ ବ୍ୟବସ୍ଥା କରିବା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମକୁ ନିର୍ଦ୍ଦେଶ ଦିଆଯାଇଛି । ଝାରସୁଗୁଡ଼ାଠାରେ ଘରୋଇ ହସ୍ପିଟାଲ ଓ ନସିଂହୋମରେ ଟୀକାକରଣ କାର୍ଯ୍ୟକ୍ରମ ସହ ଆରଟିପିସିଆର ପରୀକ୍ଷା ପାଇଁ ମଧ୍ୟ ନିଷ୍ପତି ନିଆଯାଇଛି । ଜିଲ୍ଲାରେ ଡ଼ାକ୍ତର, ନର୍ସ ଓ ପାରାମେଡ଼ିକାଲ କର୍ମଚାରୀ ଅଭାବ ପରିଲକ୍ଷିତ ହେଲେ ଜିଲ୍ଲାପାଳ ଡ଼ିଏମ୍ଏଫ୍ ଓ ସିଏସ୍‌ଆର୍ ପାଣ୍ଠିରୁ ଏହି ପଦବୀ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ କରି ପାରିବେ ବୋଲି ଶ୍ରୀ ଦାସ କହିଛନ୍ତି ।    ଆଜି ଅନୁଷ୍ଠିତ ହୋଇଥିବା ଏହି ଭରଚୁଆଲ ମିଟିଙ୍ଗରେ ବରଗଡ ସାଂସଦ ସୁରେଶ ପୂଜାରୀ ଏବଂ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଅଂଶଗ୍ରହଣ କରି କୋଭିଡ଼ ସଂପର୍କରେ ଜନ ସଚେତନତା ସୃଷ୍ଟି ଉପରେ ଗୁରୁତ୍ବାରୋପ କରିଥିଲେ l ଏହାସହ ବନ୍ଧବାହାଲ ଠାରେ ପ୍ରସ୍ତାବିତ କୋଭିଡ଼ ହସ୍ପିଟାଲ ତୁରନ୍ତ କାର୍ଯ୍ୟକ୍ଷମ ସହିତ ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ ମତାମତ ଦେଇଥିଲେ ।   ଏହି ବୈଠକରେ ବେଦାନ୍ତ କର୍ତ୍ତୃପକ୍ଷ, ଏମ୍‌ସିଏଲ୍‌ ନିର୍ଦ୍ଦେଶକ (ପସୌନେଲ) ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ଅବସରରେ ଝାରସୁଗୁଡ଼ା ଜିଲ୍ଲାପାଳ ସରୋଜ କୁମାର ସାମଲ, ସମ ହସ୍ପିଟାଲର ଅଧ୍ୟକ୍ଷକ ଡ଼ା ସାମନ୍ତସିଂହାର, ଡା. ଶଶାଙ୍କ ଦାସ, ଝାରସୁଗୁଡ଼ା ସିଡ଼ିଏମଓ ଲାଲମୋହନ ରାଉତ ରାଏ, କୋଭିଡ଼  ହସ୍ପିଟାଲର ନୋଡ଼ାଲ ଅଫିସର ପ୍ରମୁଖ, ବେଦାନ୍ତ କର୍ତ୍ୟୁପକ୍ଷ ଉପସ୍ଥିତ ରହିବା ସହିତ ଜିଲ୍ଲାରେ କୋଭିଡ଼ ଚିକିତ୍ସାକୁ କିଭଳି ଆହୁରି ଅଧିକ କ୍ରିୟାଶୀଳ କରାଯାଇ ପାରିବ ସେ ସଂପର୍କରେ ମତାମତ ଦେଇଥିଲେ ।

Leave a Reply

Your email address will not be published. Required fields are marked *