ରାଜ୍ୟ

ସାମାନ୍ୟ ହେଳା ବଡ଼ ବିପଦ ସୃଷ୍ଟି କରିବ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବାତ୍ୟା ୟାସ୍ ନେଇ ରାଜ୍ୟବାସୀଙ୍କୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଆମକୁ ଏକ ସମୟରେ ଦୁଇଟି ବଡ଼ ବିପଦର ମୁକାବିଲା କରିବାକୁ ହେବ। ଗତବର୍ଷ ଆମେ କୋଭିଡ଼ ସହ ଅମ୍ପନ ବାତ୍ୟାକୁ ସାମ୍ନା କରିଥିଲେ। ବାତ୍ୟା ଓଡ଼ିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସାବଧାନ ରହିବାକୁ ହେବ। ସାମାନ୍ୟ ଅବହେଳା ଆମ ପାଇଁ ବଡ଼ ବିପଦ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି। ବାତ୍ୟା ଓ କୋଭିଡ଼ର ମୁକାବିଲା କରିବାକୁ ସରକାର ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଆପଣମାନଙ୍କ ସହଯୋଗ ହିଁ ଆମ ପ୍ରସ୍ତୁତିକୁ ମଜବୁତ କରିବ। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ସାଢ଼େ ୪ କୋଟି ଓଡ଼ିଶାବାସୀ ମୋ ପରିବାର। ମୋ ପରିବାରର ନିରାପତ୍ତା ମୋ ପାଇଁ ପ୍ରାଥମିକତା। ଆଶ୍ରୟସ୍ଥଳୀ ବା ନିରାପଦ ସ୍ଥାନକୁ ଯିବାକୁ ନବୀନ ନିବେଦନ କରିଛନ୍ତି। କରୋନା ସମୟରେ ଆମକୁ ଅଧିକ ସାବଧାନ ରହିବାକୁ ହେବ। ଆଶ୍ରୟସ୍ଥଳୀରେ ବା ଘରେ ବାତ୍ୟା ବେଳେ ଦୁଇଟି ମାସ୍କ ପିନ୍ଧନ୍ତୁ। ସମସ୍ତେ ଦୁଇ ବିପଦ ବିରୋଧରେ ଏକାଠି ଲଢ଼ିବା ଓ ନିଶ୍ଚିତ ଜିତିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ । ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲି ଆସିବା ପାଇଁ ସେ ଅନୁରୋଧ କରିଛନ୍ତି । କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି । ତେଣୁ ବାତ୍ୟାର ମୁକାବିଲା ପାଇଁ ଜନସାଧାରଣ ସ୍ଥାନାନ୍ତରରେ ପ୍ରଶାସନକୁ ପୁରା ସହଯୋଗ କରିବା ପାଇଁ ସେ ନିବେଦନ କରିଛନ୍ତି । ଯେହେତୁ ଏବେ କୋଭିଡ ସମୟ, ତେଣୁ ଆମକୁ ଅଧିକ ସାବଧାନ ରହିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ସତର୍କ କରାଇଛନ୍ତି  ।

ଆପଣମାନେ ବାତ୍ୟା ଆଶ୍ରୟସ୍ଥଳ ବା ପକ୍କା ଘର, ଯେଉଁଠାରେ ବି ଥାଆନ୍ତୁ, ଦୁଇଟି ମାସ୍କ ଏକ ସମୟରେ ପିନ୍ଧନ୍ତୁ । ବର୍ତ୍ତମାନ ପରିସ୍ଥିତିରେ ଗୋଟିଏ ନୁହେଁ, ଦୁଇଟି ମାସ୍କ ପିନ୍ଧିବା ଆମ ସ୍ବାସ୍ଥ୍ୟ ପାଇଁ ଖୁବ ଜରୁରୀ । ଡବଲ ବିପଦ ପାଇଁ ଡବଲ ମାସ୍କ। ତା ସହିତ ସାବୁନ ଓ ସାନିଟାଇଜରରେ ହାତ ମଧ୍ୟ ଧୋଇବା ପାଇଁ ସେ ନିବେଦନ କରିଛନ୍ତି।  ସାରା ମାନବ ଜାତି ବର୍ତ୍ତମାନ ଏକ କଷ୍ଟକର ସମୟ ଦେଇ ଗତି କରୁଛି ଏବଂ ଗତ ଏକ ବର୍ଷରୁ ଅଧିକ ସମୟ ଧରି କୋଭିଡ ବିରୁଦ୍ଧରେ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବାତ୍ୟା ୟଶ ବର୍ତ୍ତମାନ ଆମ ପାଇଁ ଆହୁରି ଏକ ବଡ ବିପଦ ଭାବରେ ଦେଖା ଦେଇଛି । ଏକ ସମୟରେ ଦୁଇ ଦୁଇଟି ବଡ ବିପଦ ବାତ୍ୟା ଓ କୋଭିଡ ର ମୁକାବିଲା ଆମକୁ କରିବାକୁ ହେବ ।

ଗତ ବର୍ଷ ମେ ମାସରେ ମଧ୍ୟ ଆମେ କୋଭିଡ ସହ ବାତ୍ୟା ଅମ୍ଫନର ସାମ୍ନା କରିଥିଲେ ଏବଂ ଲୋକଙ୍କ ସହଯୋଗରେ ଆମେ ସଫଳତାର ସହ ସେ ପରିସ୍ଥିତିର ମୁକାବିଲା କରିଥିଲେ ବୋଲି ସେ ମନେପକାଇ ଦେଇଥିଲେ। ବାତ୍ୟା ଓଡିଶା ପାଇଁ ନୂଆ ନୁହେଁ, ତଥାପି ଆମକୁ ସତର୍କ ରହିବାକୁ ହେବ। ସାମାନ୍ୟ ହେଳା ବଡ ବିପଦ ସୃଷ୍ଟି କରିପାରେ ବୋଲି ସେ ସତର୍କ କରିଥିଲେ। ସରକାର ବାତ୍ୟା ଓ କୋଭିଡ ଦୁଇଟି ଯାକ ପରିସ୍ଥିତିର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଜନସାଧାରଣଙ୍କ ସହଯୋଗ ହିଁ ଆମର ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସେ ଆଶାପ୍ରକାଶ କରିଥିଲେ।

Leave a Reply

Your email address will not be published. Required fields are marked *